ଜାତୀୟ ହକି: ଓଡ଼ିଶା କ୍ବାର୍ଟରରେ, ଗାଙ୍ଗ୍‌ପୁର ବିଜୟୀ

ହକି ଗାଙ୍ଗପୁର ମହିଳା ଦଳର ହିସାର ଯାତ୍ରା : ପୁରୁଷରେ ଯୁଗଳ ପରାଜୟ

ଭୁବନେଶ୍ବର: କେରଳର କୋଲାମ୍‌ରେ ଚାଲିଥିବା ନବମ ଜାତୀୟ କନିଷ୍ଠ ମହିଳା ହକି ପ୍ରତିଯୋଗିତା (ଡିଭିଜନ୍‌-ଏ)ରେ ହକି ଓଡ଼ିଶା କ୍ବାର୍ଟର ଫାଇନାଲ୍‌କୁ ଉନ୍ନିତ ହୋଇଥିବା ବେଳେ ଗାଙ୍ଗ୍‌ପୁର-ଓଡ଼ିଶା ଦଳ ବିଜୟ ଧାରାକୁ ଫେରିଛି। ଗାଙ୍ଗ୍‌ପୁର ରବିବାର ମିଜୋରାମ ନିକଟରୁ ୦-୨ ଗୋଲ୍‌ରେ ହାରିଯାଇଥିଲା ବେଳେ ମଙ୍ଗଳବାର ଆନ୍ଧ୍ର ପ୍ରଦେଶକୁ ୭-୩ ଗୋଲ୍‌ର ବଡ଼ ବ୍ୟବଧାନରେ ପରାସ୍ତ କରିଦେଇଛି। ଆନ୍ଧ୍ର ପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ରୋଜିତା କୁଜୁର (୭ ଓ ୩୬ ମିନିଟ୍‌) ଏବଂ ଜ୍ୟୋତି ଛତ୍ରୀ (୨୯ ଓ ୫୧ ମିନିଟ୍‌) ଦୁଇଟି ଲେଖାଏଁ, ସୁନିତା ଖାକା (୧୪ ମିନିଟ୍‌), ଅଧିନାୟିକା ଜାହ୍ନନୀ ପ୍ରଧାନ (୨୨ ମିନିଟ୍‌) ଓ ରାହିଲ ତିର୍କି (୪୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ିଥିଲେ। ଆନ୍ଧ୍ର ପକ୍ଷରୁ ଲକ୍ଷ୍ମୀ ଉପିଡି (୧୮ ମିନିଟ୍‌), ଅଧିନାୟିକା ମେରି ଲୋଟ୍‌ଲା (୫୯ ମିନିଟ୍‌) ଓ ଝାନ୍‌ସୀ ବୋବିଲି (୬୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ଅନ୍ୟପକ୍ଷରେ ହକି ଓଡ଼ିଶା ଦଳ ୬-୧ ଗୋଲ୍‌ରେ ଦିଲ୍ଲୀକୁ ହରାଇ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ଓଡ଼ିଶା ପକ୍ଷରୁ ନେହା ଲାକ୍ରା ଏକା ୩ଟି (‌୩, ୫୧, ୫୬ ମିନିଟ୍‌) ଗୋଲ୍‌ ଦେଇଥିବା ବେଳେ ମନିଷା ମିଞ୍ଜ (୨୨ ମିନିଟ୍‌), ଦିପି‌ ଟୋପ୍ପୋ (୫୦ ମିନିଟ୍‌), ବିମଳା ବରୱା (୫୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

ଭୁବନେଶ୍ବର: ହରିଆନାର ହିସାରଠାରେ ‌ଫେବ୍ରୁଆରି ୮ ତାରିଖରୁ ଖେଳାଯିବାକୁ ଥିବା ନବମ ଜାତୀୟ ବରିଷ୍ଠ ମହିଳା ହକି ପ୍ରତିଯୋଗିତାର ଡିଭିଜନ୍‌-ଏ ଲାଗି ହକି ଗାଙ୍ଗପୁର-ଓଡ଼ିଶା ଦଳ ଘୋଷିତ‌ ହୋଇଛି। ଏଲିନ ଲାକ୍ରାଙ୍କ ନେତୃତ୍ବରେ ଦଳ ଗସ୍ତ ହିସାର ଗସ୍ତ କରିବ।
ହକି ଗାଙ୍ଗପୁର-ଓଡ଼ିଶା ଦଳ: ମାଧୁରୀ କିଣ୍ଡୋ, ମୁକ୍ତା ଜୋଜୋ, ସମୀରା ଲାକ୍ରା, ଆଞ୍ଜେଲା ଟୋପ୍ପୋ, ଜ୍ୟୋତି ଛତ୍ରୀ, ସୁଶାନ୍ତି ମିଞ୍ଜ୍‌, ସୁସ୍ମିତା କେରକେଟା, ଏଲିନ ଲାକ୍ରା (ଅଧିନାୟିକା), ମନୀଷା ଓରାମ, ପ୍ରେମାଞ୍ଜଳି ଟୋ‌ପ୍ପୋ, ଚାନ୍ଦନୀ ନାଏକ, ରେଶ୍ମା ଲାକ୍ରା, ନିକିତା ଟୋ‌ପ୍ପୋ, ମମତା ଓରାମ, ପ୍ରତିଭା‌ ଏକ୍କା, ଅର୍ଚନା ଟେଟେ, ରାଣୀ କୁମାର। ପ୍ରଶିକ୍ଷକ: ପୌଲିନା ସୁରିନ, ପ୍ରବଂଧକ: ଜାଭିଏର ଲାକ୍ରା।

ଭୁବନେଶ୍ବର: ମଧ୍ୟପ୍ରଦେଶର ଗ୍ବାଲିୟର୍‌ରେ ଚାଲିଥିବା ନବମ ଜାତୀୟ ବରିଷ୍ଠ ପୁରୁଷ ହକି ପ୍ରତିଯୋଗିତା (ଡିଭିଜନ୍‌-ଏ)ରେ ମଙ୍ଗଳବାର ଓଡ଼ିଶାକୁ ଯୁଗଳ ଝଟ୍‌କା ଲାଗିଛି। ଏହାର ଦୁଇ ଦଳ ହକି ଓଡ଼ିଶା ଏବଂ ହକି ଗାଙ୍ଗ୍‌ପୁର-ଓଡ଼ିଶା ନିଜ ନିଜର ମ୍ୟାଚ୍‌ ହାରିଯାଇଛନ୍ତି। ଓଡ଼ିଶା ଦଳ ଲଗାତାର ଦ୍ବିତୀୟ ପରାଜୟ ବରଣ କରିଥିଲା ବେଳେ ଗାଙ୍ଗ୍‌ପୁରର ବିଜୟଧାରା ବ୍ୟାହତ ହୋଇଛି। ତେବେ ମଙ୍ଗଳବାର ସୁଦ୍ଧା ନିଜ ନିଜ ଗ୍ରୁପ୍‌ରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଥିଲା ବେଳେ ଗାଙ୍ଗ୍‌ପୁର-ଓଡ଼ିଶା ଦଳ ପଞ୍ଚମ ସ୍ଥାନରେ ରହିଛି।
ପୁଲ୍‌-ଡି’ରେ ରବିବାର ଏୟାର ଇଣ୍ଡିଆ ସ୍ପୋର୍ଟସ୍‌ ପ୍ରମୋସନ୍‌ ବୋର୍ଡ (ଏଆଇଏସ୍‌ପିବି) ନିକଟରୁ ୩-୬ ଗୋଲ୍‌ରେ ହାରିଥିବା ଓଡ଼ିଶା ମଙ୍ଗଳବାର କର୍ଣ୍ଣାଟକଠାରୁ ୨-୩ ଗୋଲ୍‌ରେ ପରାସ୍ତ ହୋଇଛି। ପ୍ରଥମ କ୍ବାର୍ଟରରେ ହିଁ ଦୁଇଟି ଗୋଲ୍‌ କରି ୨-୦ର ଅଗ୍ରଣୀ ହାସଲ କରିଥିବା ଓଡ଼ିଶା ଏହାର ଫାଇଦା ଉଠାଇ ପାରିନଥିଲା। ଏପରିକି ଦଳ ପରବର୍ତୀ ତିନି କ୍ବାର୍ଟରରେ ଗୋଟିଏ ବି ଗୋଲ୍‌ କରିବାକୁ ସମର୍ଥ ହୋଇନଥିଲା। ଅନ୍ୟପକ୍ଷରେ କର୍ଣ୍ଣାଟକ ପରବର୍ତୀ ତିନି କ୍ବାର୍ଟରରେ ଗୋଟିଏ ଲେଖାଏଁ ଗୋଲ୍‌ କରି ଓଡ଼ିଶା ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲା। ମ୍ୟାଚ୍‌ର ଚତୁର୍ଥ ମିନିଟ୍‌ରେନିଲମ୍‌ ସଞ୍ଜୀପ୍‌ ଖେସ୍‌ ପେନାଲ୍‌ଟି କର୍ନରରୁ ଗୋଲ୍‌ କରିବା ପରେ ୧୩ ମିନିଟ୍‌ରେ ସୁରଜ ମିଞ୍ଜ୍‌ଙ୍କ ଫିଲ୍‌ଡ ଗୋଲ୍‌ ବଳରେ ଓଡ଼ିଶା ଆଗୁଆ ହୋଇଯାଇଥିଲା। ହେଲେ ୨୫ ଓ ୩୧ ମିନିଟ୍‌ରେ ମିନିଟ୍‌ରେ ଭାରତୀୟ ଦଳର ପୂର୍ବତନ ଡ୍ରାଗ୍‌ ଫ୍ଲିକର ଭି ଆର୍‌ ରଘୁନାଥ ଲାଗ ଲାଗ ଦୁଇଟି ପେନାଲ୍‌ଟି କର୍ନର ଗୋଲ୍‌ କରି କର୍ଣ୍ଣାଟକ ପାଇଁ ସ୍ଥିତି ସମାନ କରିଦେଇଥିଲା ବେଳେ ୫୬ ମିନିଟ୍‌ରେ ଅଧିନାୟକ ଏସ୍‌ଭି ସୁନିଲ ଫିଲ୍‌ଡ ଗୋଲ୍‌ କରି ଦଳକୁ ବିଜୟ ଭେଟି ଦେଇଥିଲେ।
ପୁଲ୍‌-ସି’ରେ ଗାଙ୍ଗ୍‌ପୁର-ଓଡ଼ିଶା ଦଳ ରବିବାର ଉତ୍ତର ପ୍ରଦେଶକୁ ୪-୩ ଗୋଲ୍‌ରେ ପରାସ୍ତ କରିଥିଲା ବେଳେ ମଙ୍ଗଳବାର ଓଡ଼ିଶା ଦଳ ଭଳି ସମାନ ୨-୩ ଗୋଲ୍‌ ବ୍ୟବଧାନରେ ପଞ୍ଜାବ ଓ ସିନ୍ଦ୍‌ ବ୍ୟାଙ୍କ୍‌ ନିକଟରୁ ହାରିଯାଇଛି। ଗାଙ୍ଗ୍‌ପୁର ଦଳ ପକ୍ଷରୁ ସୁମନ କୁଜୁର (୧୯ ମିନିଟ୍‌) ଓ ଯୋଶେଫ୍ ଟପ୍ପୋ (୪୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ।

ସମ୍ବନ୍ଧିତ ଖବର