ଭାରତୀୟ ହକି ଦଳର ନ୍ୟୁଜିଲାଣ୍ଡ୍‌ ଯାତ୍ରା

ରାଜ୍ୟଗୋଷ୍ଠୀ ଓ ଏସୀୟ କ୍ରୀଡ଼ା ପ୍ରସ୍ତୁତି ପାଇଁ ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତା ସହାୟକ ହେବ: ମନ୍‌ପ୍ରୀତ୍‌

ବେଙ୍ଗାଲୁରୁ: ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ପ୍ରତିଯୋଗିତା ଖେଳିବା ପାଇଁ ଭାରତୀୟ ହକି ଦଳ ଶୁକ୍ରବାର ଏଠାରୁ ନ୍ୟୁଜିଲାଣ୍ଡ୍‌ ଅଭିମୁଖେ ଯାତ୍ରା କରିଛି। ଏହି ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ବୀରେନ୍ଦ୍ର ଲାକ୍ରା ସାମିଲ ଅଛନ୍ତି। ଆଗାମୀ ରାଜ୍ୟଗୋଷ୍ଠୀ ଓ ଏସୀୟ କ୍ରୀଡ଼ା ପୂର୍ବରୁ ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତା ଭାରତୀୟ ଦଳ ପାଇଁ ଚଳିତ ବର୍ଷର ପ୍ରଥମ। ଭାରତ ଏହି ପ୍ରତିଯୋଗିତାରେ ଆୟୋଜକ ନ୍ୟୁଜିଲାଣ୍ଡ୍‌ ସାଙ୍ଗକୁ ବେଲ୍‌ଜିୟମ୍‌ ଓ ଜାପାନ ସହ ପ୍ରତିଦ୍ୱନ୍ଦ୍ୱିତା କରିବ। ଆସନ୍ତା ୧୭ରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ୫ ଦିନ ଧରି ଦୁଇଟି ଭିନ୍ନ ସ୍ଥାନରେ ଖେଳିବ। ପ୍ରଥମେ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ତୌରଙ୍ଗା ଏବଂ ପରେ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ହାମିଲଟନ୍‌ରେ ମ୍ୟାଚ୍‌ ଖେଳାଯିବ। ପ୍ରତ୍ୟେକ ଦଳ ଦୁଇଟି ପର୍ଯ୍ୟାୟରେ ୩ ଲେଖାଏଁ ମୋଟ ୬ ମ୍ୟାଚ୍‌ ଖେଳିବେ। ଏହା ବ୍ୟତୀତ ଉଭୟ ସ୍ଥାନରେ ତୃତୀୟ-ଚତୁର୍ଥ ସ୍ଥାନ ଏବଂ ପ୍ରଥମ-ଦ୍ୱିତୀୟ ସ୍ଥାନ ପାଇଁ ମଧ୍ୟ ମୁକବିଲା ହେବ। ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତାର ତୌରଙ୍ଗା ଚରଣରେ ଭାରତ ୧୭ ତାରିଖରେ ଜାପାନ, ୧୮ରେ ବେଲ୍‌ଜିୟମ୍‌ ଓ ୨୦ରେ ନ୍ୟୁଜିଲାଣ୍ଡ୍‌କୁ ଭେଟିବାକୁ ଥିଲା ବେଳେ ହାମିଲଟନ୍‌ ଚରଣରେ ୨୪ରେ ନ୍ୟୁଜିଲାଣ୍ଡ୍‌, ୨୫ରେ ବେଲ୍‌ଜିୟମ୍‌ ଓ ୨୭ରେ ଜାପାନ ସହ ମୁହାଁମୁହିଁ ହେବ।

ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତା ଆମ ପାଇଁ ଚଳିତ ବର୍ଷର ରାଜ୍ୟଗୋଷ୍ଠୀ ଓ ଏସୀୟ କ୍ରୀଡ଼ା ପ୍ରସ୍ତୁତିରେ ଖୁବ୍‌ ସହାୟକ ହେବ ବୋଲି କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନବନ୍ଦରରୁ ନ୍ୟୁଜିଲାଣ୍ଡ୍‌ ଯାତ୍ରା କରିବା ପୂର୍ବରୁ ଭାରତୀୟ ଦଳର ଅଧିନାୟକ ମନ୍‌ପ୍ରୀତ୍‌ ସିଂହ କହିଛନ୍ତି। ଏହି ପ୍ରତିଯୋଗିତାରେ ଉଚ୍ଚମାନ୍ୟତା ଦଳମାନଙ୍କ ସହ ଖେଳିବା ଦଳର ଯୁବ ଖେଳାଳିଙ୍କ ଆତ୍ମବିଶ୍ୱାସ ବଢ଼ାଇପାରିବ। ପୁଣି ଚଳିତ ବର୍ଷ ବିଶ୍ୱକପ୍‌ରେ ବେଲ୍‌ଜିୟମ୍‌ ଆମ ଗ୍ରୁପ୍‌ରେ ରହିଛି। ସେହି ଦଳ ବିପକ୍ଷରେ ଯେତେ ଅଧିକ ମ୍ୟାଚ୍‌ ଖେଳିବୁ ତାହା ଆମ ପାଇଁ ଲାଭ ହେବ। ବେଲ୍‌ଜିୟମ୍‌ ବ୍ୟତୀତ ନ୍ୟୁଜିଲାଣ୍ଡ୍‌ ଓ ଜାପାନ ଭଳି ଦଳ ପ୍ରତିଯୋଗିତାରେ ରହିଥିବାରୁ ସେମାନଙ୍କ ସହ ଖେଳି ଆମେ ରାଜ୍ୟଗୋଷ୍ଠୀ ଓ ଏସୀୟ କ୍ରୀଡ଼ା ପାଇଁ ପୂରା ପ୍ରସ୍ତୁତ ହୋଇପାରିବୁ ବୋଲି ମନ୍‌ପ୍ରୀତ୍‌ କହିଛନ୍ତି। ଗତବର୍ଷ ଭୁବନେଶ୍ୱରରେ ଆୟୋଜିତ ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ସରେ ଅଷ୍ଟ୍ରେଲିଆ, ବେଲ୍‌ଜିୟମ୍‌ ଓ ଜର୍ମାନି ଭଳି ଦକ୍ଷ ଦଳ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲୁ। ବଡ଼ ପ୍ରତିଯୋଗିତାରେ ଉଚ୍ଚ ମାନ୍ୟତା ଦଳ ବିପକ୍ଷରେ ଭଲ ପ୍ରଦର୍ଶନ ହିଁ ଆତ୍ମବିଶ୍ୱାସ ବଢ଼ାଇଥାଏ। ଆଉ ସେହି ଆତ୍ମବିଶ୍ୱାସ ନେଇ ଆମେ ମଧ୍ୟ ନ୍ୟୁଜିଲାଣ୍ଡ୍‌ ଗସ୍ତରେ ପ୍ରଦର୍ଶନ କରିବୁ ବୋଲି ମନ୍‌ପ୍ରୀତ୍‌ କହିଛନ୍ତି। ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତାର ଅଭିଜ୍ଞତା ହିଁ ଆମ ଯୁବ ଦଳକୁ ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଚାମ୍ପିଅନ୍‌ସ ଟ୍ରଫି, ଏସୀୟ କ୍ରୀଡ଼ା, ଏସୀୟ ଚାମ୍ପିଅନ୍‌ସ ଟ୍ରଫି ସାଙ୍ଗକୁ ଓଡ଼ିଶାର ଭୁବନେଶ୍ୱରରେ ଆୟୋଜିତ ବିଶ୍ୱ କପ୍‌ ପ୍ରସ୍ତୁତିରେ ଖୁବ୍‌ ସହାୟକ ହେବ ବୋଲି ମନ୍‌ପ୍ରୀତ୍‌ କହିଛନ୍ତି।

ସମ୍ବନ୍ଧିତ ଖବର