ଜାତୀୟ ମହିଳା ହକି ଶିବିରରେ ୭ ଓଡ଼ିଆ

ଭୁବନେଶ୍ବର: ବେଙ୍ଗାଲୁରୁର ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) ସେଣ୍ଟରରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତୀୟ ମହିଳା ହକି ଜାତୀୟ ଶିବିର। ଏହି ଶିବିର ପାଇଁ ଗୁରୁବାର ହକି ଇଣ୍ଡିଆ ୬୦ ଜଣିଆ ଖେଳାଳି ତାଲିକା ଘୋଷଣା କରିଛି। ସେଥିରେ ୭ ଜଣ ଓଡ଼ିଆ ଝିଅ ସ୍ଥାନ ପାଇଛନ୍ତି। ଓଡ଼ିଆଙ୍କ ମଧ୍ୟରେ ଡିଫେଣ୍ଡର ଦୀପ୍‌ଗ୍ରେସ୍‌ ଏକ୍କା, ସୁନିତା ଲାକ୍ରା, ରଶ୍ମିତା ମିଞ୍ଜ୍‌, ମିଡ୍‌ଫିଲ୍‌ଡର ଲିଲିମା ମିଞ୍ଜ୍‌, ନମିତା ଟପ୍ପୋ, ଇଲିନ୍‌ ଲାକ୍ରାଙ୍କ ସାଙ୍ଗକୁ ଫରୱାର୍ଡ ଅନୁପା ବାର୍ଲା ରହିଛନ୍ତି। ଚଳିତ ବର୍ଷ ଆୟୋଜିତ ହୋଇଯାଇଥିବା ନବମ ମହିଳା ଜାତୀୟ ହକି (ଏ ଓ ବି ଡିଭିଜନ୍‌) ପ୍ରତିଯୋଗିତାର ପ୍ରଦର୍ଶନକୁ ବିଚାରକୁ ନିଆଯାଇ ୬୦ ଜଣ ଖେଳାଳିଙ୍କୁ ବଛାଯାଇଛି। ଶିବିର ପାଇଁ ମନୋନୀତ ୬୦ ଜଣଙ୍କ ମଧ୍ୟରେ ୮ ଗୋଲ୍‌ରକ୍ଷକ, ୧୭ ଡିଫେଣ୍ଡର୍‌, ୧୭ ମିଡ୍‌ ଫିଲ୍‌ଡର ଏବଂ ୧୮ ଫରୱାର୍ଡ ଖେଳାଳି ରହିଛନ୍ତି। ମନୋନୀତ ଖେଳାଳିମାନେ ଆସନ୍ତାକାଲି (ଶୁକ୍ରବାର) ନିଜର ଉପସ୍ଥିତି ସଂପର୍କରେ ଦଳର ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍‌ଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଏହି ଶିବିର ଜୁନ୍‌ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଶିବିର ମଧ୍ୟରେ ମେ’ ୪ ତାରିଖ ଦିନ ଏକ ମନୋନୟନ ଟ୍ରାଏଲ୍‌ କରାଯାଇ ସଂଖ୍ୟା ୬୦ରୁ ୩୩କୁ କାଣ୍ଟଛାଣ୍ଟ୍‌ କରାଯିବ। ଶିବିରରେ ବିଶେଷକରି ନୂଆ ଖେଳାଳିଙ୍କ ଦକ୍ଷତାର ପରୀକ୍ଷା ନିଆଯିବ ବୋଲି ମାରିନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର