ଜାତୀୟ ହକି: ଗାଙ୍ଗପୁରର ପ୍ରଥମ ବିଜୟ

ଭୁବନେଶ୍ୱର: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଚାଲିଥିବା ଅଷ୍ଟମ ଜାତୀୟ ପୁରୁଷ ହକି ପ୍ରତିଯୋଗିତାରେ ସୋମବାର ହକି ଗାଙ୍ଗପୁର ଓଡ଼ିଶା ଦଳ ୬-୧ ଗୋଲ୍‌ରେ ହକି ଝାଡ଼ଖଣ୍ଡକୁ ହରାଇ ଚତୁର୍ଥ ମ୍ୟାଚ୍‌ରୁ ପ୍ରଥମ ବିଜୟ ହାସଲ କରିଛି। ୧୯ତମ ମିନିଟ୍‌ରେ ଅମନ ମୀରାସ ତୀର୍କି ପ୍ରଥମ ଗୋଲ୍‌ ଦେବା ପରେ ଝାଡ଼ଖଣ୍ଡ ୨୩ତମ ମିନିଟ୍‌ରେ ଯୋସେଫ୍‌ କଙ୍ଗାରିଙ୍କ ଜରିଆରେ ମ୍ୟାଚ୍‌କୁ ୧-୧ ସ୍ତରକୁ ନେଇ ଆସିଥିଲା। ଏହା ପରେ କିନ୍ତୁ ହକି ଗାଙ୍ଗପୁର ଦଳ ଆକ୍ରମଣାତ୍ମକ ହକିର ନିଖୁଣ ନିଦର୍ଶନ ଦେଖାଇ ଗୋଲ୍‌ ପରେ ଗୋଲ୍‌ ଲଦି ଦେଇଥିଲା। ଦଳ ପକ୍ଷରୁ ଅନ୍ତର୍ଜର୍ାତୀୟ ତାରକା ରୋଶନ ମିଞ୍ଜ୍‌ ସର୍ବାଧିକ ୨ ଗୋଲ୍‌ (୨୭, ୫୯ ମିନିଟ୍‌) ଦେଇଥିବାବେଳେ ଅଜୁବା ଏକ୍କା (୪୫ ମିନିଟ୍‌), ଦିଲୀପ ଲାକ୍ରା (୪୭ ମିନିଟ୍‌) ଏବଂ ସଂଜୟ ଖାଲ୍‌କୋ (୫୬ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ପୁଲ୍‌ ‘ବି’ରେ ସ୍ଥାନ ପାଇଥିବା ହକି ଗାଙ୍ଗପୁର ଏଥି ସହ ଲିଗ୍‌ ଅଭିଯାନ ଶେଷ କରିଛି। ଅନ୍ୟପକ୍ଷରେ ପୁଲ୍‌ ‘ଏ’ରେ ସ୍ଥାନ ପାଇଥିବା ହକି ଓଡ଼ିଶା ଦଳ ୩ ମ୍ୟାଚ୍‌ରୁ ୨ ବିଜୟ ୧ ପରାଜୟ ସହିତ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଥିବାରୁ ସୁଯୋଗ କାଏମ ରଖିଛି। ଶେଷ ପୁଲ୍‌ ମ୍ୟାଚ୍‌ରେ ଓଡ଼ିଶା ମଙ୍ଗଳବାର ଅପରାହ୍‌ଣ ୪.୩୦ରେ ହକି ଉତ୍ତରପ୍ରଦେଶକୁ ଭେଟିବ। ସୋମବାର ଅନ୍ୟ ମ୍ୟାଚ୍‌ ଗୁଡ଼ିକରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ଦଳ ୫-୨ରେ ସିଆରପିଏଫ୍‌କୁ, ପିଏସ୍‌ପିବି ୪-୩ରେ ଏସ୍‌ଏସ୍‌ସିବିକୁ, ହକି ଭୋପାଳ ୫-୨ରେ ମଧ୍ୟପ୍ରଦେଶକୁ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର