ଭୁବନେଶ୍ବର: ସଂପ୍ରତି ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଇଣ୍ଟରକଣ୍ଟିନେଣ୍ଟାଲ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତା ସହ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ‌ରେ ଜାତୀୟ ବାଳକ ହକି ଚାଲିଥିଲା ବେଳେ ଏଠାରେ ଗୁରୁବାରଠୁ ଜାତୀୟସ୍ତରୀୟ ଆଉ ଏକ ପ୍ରତିଯୋଗିତା ହେବାକୁ ଯାଉଛି। ୬୨ତମ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠୁ ଆରମ୍ଭ ହେବ। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭାରତର ବିଭିନ୍ନ ରାଜ୍ୟ ସହ ବିଦେଶରୁ ଶ୍ରୀଲଙ୍କା ଓ ମାଳଦ୍ବୀପର ଖେଳାଳିମାନେ ଅଂଶଗ୍ରହଣ କରିବେ। ଏଥିରେ ପ୍ରାୟ ୭୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଓଡ଼ିଶାରୁ ୨୫ ଜଣ ଖେଳାଳି ଏଥିରେ ଭାଗନେଉଛନ୍ତି। ଏଥିରୁ ଥାଇଲାଣ୍ଡରେ ଆସନ୍ତା ମାସ ୧୨ରୁ ଆରମ୍ଭ ହେବାକୁଥିବା ଏସୀୟ ଦୌଡ଼କୁଦ ଚାମ୍ପିଅନ୍‌ସିପ୍‌ ଲାଗି ଭାରତୀୟ ଦଳ ବଛାଯିବ। ୧୯ରେ ପ୍ରତିଯୋଗିତା ସରିବା ପରେ ୨୦ ତାରିଖରେ ଭୁବନେଶ୍ବରରେ ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ)ର ଚୟନ କମିଟିର ବୈଠକ ବସିବ। ଏମାନେ ଏସୀୟ ଦୌଡ଼କୁଦ ଲାଗି ଚୂଡ଼ାନ୍ତ ଦଳ ବାଛିବେ।

Advertisment

‘‘ଆଗକୁ ଆମର ପଡ଼ୋଶୀ ର‌ାଷ୍ଟ୍ର ଥାଇଲାଣ୍ଡରେ ଏସୀୟ ଚାମ୍ପିଅନ୍‌ସିପ୍‌ ହେବାକୁ ଯାଉଛି। ଏହି ପ୍ରତିଯୋଗିତା ଲାଗି ଦଳ ଚୟନ ଆମେ ଭୁବନେଶ୍ବରରେ ୨୦ ତାରିଖରେ କରିବୁ। ‌ଏଥିପାଇଁ ଗୁରୁବାରଠୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ଉପରେ ନଜର ରହିବ। ଏହି ୫ ଦିନିଆ ପ୍ରତିଯୋଗିତା ଏସୀୟ ଯୋଗ୍ୟତା ଲାଗି ଶେଷ ସୁଯୋଗ। ପାଖାପାଖି ୬୦ରୁ ୬୫ ପ୍ରତିଯୋଗୀ ଏସୀୟ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ବ କରିବେ। ନୀରଜ ଚୋପ୍ରା, ଅବିନାଶ ସାବ୍‌ଲେ ଏସୀୟ ପ୍ରତିଯୋଗିତାରେ ଭାଗ ନେ‌ବେନି। କିନ୍ତୁ ଉଭୟ ବିଶ୍ବ ଦୌଡ଼କୁଦ ଏବଂ ଏସୀୟ କ୍ରୀଡ଼ାରେ ଖେଳିବେ। ୫୦୦୦ ମିଟର ଜାତୀୟ କୀର୍ତ୍ତିମାନଧାରୀ ପାରୋଲ ଚୌଧୁରୀ ଓ ସ୍ପ୍ରିଣ୍ଟର ଜ୍ୟୋତି ୟାରାଜିଙ୍କଠାରୁ ଏସୀୟ ପଦକ ଆଶା ରଖିଛୁ। ଉଭୟ କଳିଙ୍ଗରେ ନିଜର ‌ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବାର ଆଶା ରହିଛି। ଓଡ଼ିଶାରୁ ଅମିୟ ମଲ୍ଲିକ, ଶ୍ରାବଣୀ ନନ୍ଦ, ଜଉନା ମୁର୍ମୁଙ୍କଠୁ ମଧ୍ୟ ଭଲ ପ୍ରଦର୍ଶନ ଆଶା ରଖିଛୁ। ଦୂତି ଚାନ୍ଦ ନିଶିଦ୍ଧ ଔଷଧ ସେବନ ଯୋଗୁଁ ଅସ୍ଥାୟୀ ଭାବେ ନିଲମ୍ବନରେ ଅଛନ୍ତି। କିନ୍ତୁ ସମ୍ପୂର୍ଣ୍ଣ ବାଦ୍‌ ପଡ଼ିନାହାନ୍ତି। ତାଙ୍କର ମାମଲା ଚାଲିଛି। ଯାହା ସ୍ଥିର ହେବ। ଏବେଠୁ କିଛି ତାଙ୍କ ବିଷୟରେ କିଛି କହିହେବନି। ୨୦୩୬ ଅଲିମ୍ପିକ୍ସ ଲକ୍ଷ୍ୟ ‌ନେଇ ଏଏଫ୍‌ଆଇ କାର୍ଯ୍ୟ କରୁଛି। ଅନେକ ପ୍ରଶିକ୍ଷକ ନିଯୁକ୍ତି କରିଛି। ଖାଲି ୨୦୩୬ ନୁହେଁ ଏହା ପୂର୍ବରୁ ୨୦୨୪, ୨୦୨୮, ୨୦୩୨ ଅଲିମ୍ପିକ୍‌ ଅଛି। ଏଥିପାଇଁ ଆମର ପ୍ରସ୍ତୁତ ଚାଲିଛି। ଏସୀୟ ଚାମ୍ପିଅନ୍‌ସିପ୍‌ ପରେ ବିଶ୍ବ ଦୌଡ଼କୁଦ ଏବଂ ଏସୀୟ କ୍ରୀଡ଼ା ରହିଛି। ଆମେ ଏହି ସବୁ ପ୍ରତିଯୋଗିତାରେ କିପରି ଭଲ କରିବୁ ତାହା ଉପରେ ଧ୍ୟାନ ଦେଉଛୁ। ଏଠାକାର ପରିବେଶ ସଂପ୍ରତି ଗରମ ରହିଛି। ଏହା ବିଶେ‌ଷକରି ଲମ୍ବ ଦୂରତା ଇଭେଣ୍ଟ୍‌ସରେ ପ୍ରଭାବ ପକାଇପାରେ। କିନ୍ତୁ ଅନ୍ୟ ଇଭେଣ୍ଟରେ ସେପରି ପ୍ରଭାବ ପଡ଼ିବନି। ଓଡ଼ିଶା ସରକାର ଆମକୁ ସହଯୋଗ କରୁଥିବାରୁ ଧନ୍ୟବାଦ’’ ବୋଲି ଏଏଫ୍‌ଆଇ ମୁଖ୍ୟ ପ୍ରଶିକ୍ଷକ ପି ରାଧା କ୍ରିଷ୍ଣନ୍‌ ନାୟର ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ସମ୍ମିଳନୀରେ ଉପସ୍ଥିତ ଥିବା ଜ୍ୟୋତି ୟାରାଜି ଏବଂ ପାରୁଲ ଚୌଧୁରୀ କଳିଙ୍ଗ ଷ୍ଟାଡିୟମରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବେ ବୋଲି କହିଥିଲେ।

ଓଡ଼ିଶା ଦଳ: ସୁଖୀ ବାସ୍‌କେ, ପୂର୍ଣ୍ଣିମା ହେମ୍ବ୍ରମ, ସାଲ୍‌ମି କିସ୍‌ପୋଟ୍ଟା, ବୋନିତା ଲାକ୍ରା, ମନିଷା ମେରେଲ, ‌‌‌‌‌ଜଉନା ମୁର୍ମୁ, ଶ୍ରାବଣୀ ନନ୍ଦ, ପ୍ରଜ୍ଞା ପ୍ରଶାନ୍ତି ସାହୁ, ଦିବ୍ୟା ଶାଣ୍ଡିଲ୍ୟା, ସୁସ୍ମିତା ଟିଗା, ସବିତା ଟୋପ୍ପୋ, ହରି ବେହେରା, ଲାଲୁ ପ୍ରସାଦ ଭୋଇ, କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ, ଅଭିଷେକ ଦଳବେହେରା, ଅଶୋକ ଦଣ୍ଡସେନା, ଆନନ୍ଦ କୁମାର ଦ୍ବିବେଦୀ, ଦଣ୍ଡପତି ଜୟରାମ, କିଶୋର କୁମାର ଜେନା, ଅମିୟ କୁମାର ମଲ୍ଲିକ, ସ୍ବାଧୀନ କୁମାର ମାଝୀ, ବିକ୍ରାନ୍ତ ମଲ୍ଲିକ, ପଙ୍କଜ ମଣ୍ଡଳ, ଅଭିଜିତ ସାହୁ, ଅଭିନାଶ ସାହୁ।

ଏସୀୟ ଯୋଗ୍ୟତା ଲକ୍ଷ୍ୟ: ଅମିୟ
୧୦୦ ମିଟର ଦୌଡ଼ର ଜାତୀୟ କୀର୍ତ୍ତିମାନଧାରୀ ଓଡ଼ିଆ ପୁଅ ଏବେ ପୂରା ଫର୍ମରେ ଅଛନ୍ତି। ସେ ଗୁରୁବାରଠୁ ଆରମ୍ଭ ହେବାକୁ ଥିବା ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ୧୦୦, ୨୦୦ ମିଟର ଦୌଡ଼ ସହ ୪ଗୁଣା ୧୦୦ ମିଟର ରିଲେରେ ଅଂଶଗ୍ରହଣ କରି ଘରୋଇ ପରିବେଶରେ ନିଜର କମାଲ ଦେଖାଇବା ଆଶା ରଖିଛନ୍ତି। ‘‘ମୁଁ ଦୀର୍ଘ ୩-୪ ବର୍ଷ ହେବ ଚେଷ୍ଟା କରୁଥିଲି ମୋ ସମୟ‌ରେ ଭଲ କରିବାକୁ ଏବଂ ଏଥିପାଇଁ ନିରନ୍ତର ପ୍ରୟାସରେ ଥିଲି। କଠିନ ଅଭ୍ୟାସ କରିଥିଲି। ପ୍ରଦର୍ଶନ ଏପରି ଏକ ଜିନିଷ ଯାହା ଖେଳାଳିର ହାତରେ ନଥାଏ। ଯାହାବି ହେଉ ଏବେ ମୁଁ ମୋ ଶୀର୍ଷସ୍ତରକୁ ପୁଣି ଫେରିପାଇଛି। ଅନ୍ତଃରାଜ୍ୟ ପ୍ରତିଯୋଗିତା ମୋ ପାଇଁ ଆଶା ଆଣିଛି। ମୋର ପୁରୁଣା ଜାତୀୟ କୀର୍ତ୍ତିମାନକୁ ଭାଙ୍ଗିବା ସହ ଏସୀୟ ଦୌଡ଼କୁଦ ଲାଗି ଯୋଗ୍ୟତା ଅର୍ଜନ କରିବାକୁ ଚାହିଁବି। ଜାତୀୟ କୀର୍ତ୍ତିମାନ ୧୦.୨୬ ରହିଛି ଏବଂ ଏସୀୟ ଯୋଗ୍ୟତା ସମୟ ୧୦.୧୯ ରହିଛି। ଏହାକୁ ହାସଲ କରିବାକୁ ଚେଷ୍ଟା କରିବି। ମୁଁ ୧୦୦ ମିଟର ଉପରେ ବେଶି ଲକ୍ଷ୍ୟ ରଖିଛି। ତଥାପି ୨୦୦ ଓ ୪ ଗୁଣା ୧୦୦ ରିଲେ ବି ଭଲ ପ୍ରଦର୍ଶନ ଆଶା ରଖିବି’’ ବୋଲି ଅମିୟ କହିଛନ୍ତି।