ଜାତୀୟ କନିଷ୍ଠ ଦୌଡ଼କୁଦ: ରାଜେନ୍ଦ୍ର ଓ ସବିତାଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଚାଲିଥିବା ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶା ଚମକ ଦେଖାଇଛି। ମଙ୍ଗଳବାର ଚତୁର୍ଥ ଦିବସରେ ୨ଟି ସ୍ବର୍ଣ୍ଣ ପଦକ ଜିତି ମୋଟ ପଦକ ସଂଖ୍ୟାକୁ ୬ରେ ପହଞ୍ଚାଇଛି। ତୃତୀୟ ଦିବସ ସୁଦ୍ଧା ୨ ଲେଖାଏଁ ରୌପ୍ୟ ଓ କାସ୍ୟ ପଦକ ଜିତିଥିବା ଓଡ଼ିଶା ପାଇଁ ରାଜେନ୍ଦ୍ର ସିଦ୍ଧୁ ଏବଂ ସବିତା ଟୋପ୍ପୋ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲେ। ୧୪ ବର୍ଷରୁ କମ୍‌ ଟ୍ରାଏଥଲନ୍‌ରେ ରାଜେନ୍ଦ୍ର ୧୯୨୩ ପଏଣ୍ଟ୍‌ ସ୍କୋର୍‌ କରି ତାମିଲନାଡୁର ବି ବିଷ୍ଣୁ (୧୮୪୯) ଏବଂ ଆନ୍ଧ୍ରପ୍ରଦେଶର ପବନ କୁମାର ପାଙ୍ଗୀ (୧୮୨୯)ଙ୍କୁ ପଛରେ ପକାଇ ଦେଇଥିଲେ। ରାଜେନ୍ଦ୍ରଙ୍କ ପାଇଁ ଏହା ବ୍ୟକ୍ତିଗତ ଦ୍ବିତୀୟ ପଦକ। ପୂର୍ବରୁ ସେ ଲମ୍ବ ଡିଆଁରେ କାଂସ୍ୟ ପଦକ ଜିତିଥିଲେ।

ଅନ୍ୟପକ୍ଷରେ ୧୬ ବର୍ଷରୁ କମ୍‌ ବାଳିକା ପେଣ୍ଟାଥଲନ୍‌ରେ ସବିତା ଟପ୍ପୋ ୩୩୧ ପଏଣ୍ଟ୍ ସହ ଶୀର୍ଷରେ ରହିଥିଲେ। କର୍ଣ୍ଣାଟକର ଉନ୍ନତିର ଆୟପ୍ପା ବୋଲଣ୍ଡା (୩୨୭୨) ଏବଂ କେରଳର ସ୍ନେହମୋଲ ଜର୍ଜ (୩୨୧୬) ଯଥାକ୍ରମେ ରୌପ ଓ କାଂସ୍ୟ ପଦକ ହାସଲ କରିଥିଲେ। ୧୬ ବର୍ଷରୁ କମ୍‌ ବାଳିକା ୮୦୦ ମିଟର ଦୌଡ଼ରେ ସୁସ୍ମିତା ଟିଗା ଏବଂ ୧୬ ବର୍ଷରୁ କମ୍‌ ବାଳକ ୮୦୦ ମିଟର ଦୌଡ଼ରେ ବଳଭଦ୍ର ଭତ୍ରା ଫାଇନାଲ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ ମଧ୍ୟ ପଦକ ଜିତିପାରିନଥିଲେ। ୨୦ ବର୍ଷରୁ କମ୍ ବାଳିକା ୨୦୦ ମିଟର୍‌ରେ ଦୀପାଲି ମହାପାତ୍ର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ୧୮ ବର୍ଷରୁ କମ୍‌ ବାଳିକା ୨୦୦ ମିଟରରେ ମଧୁସ୍ମିତା ଦେବ ଏବଂ ସୁଖି ବାସ୍କେ ସେମିଫାଇନାଲରେ ପ୍ରବେଶ କରିଥିବାରୁ ବୁଧବାର ଶେଷ ଦିନରେ ଓଡ଼ିଶା ପାଇଁ ଏକାଧିକ ପଦକ ସହ ଅଭିଯାନ ଶେଷ କରିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର