ଜାତୀୟ କନିଷ୍ଠ ଦୌଡ଼କୁଦ: ଓଡ଼ିଶାକୁ ଆଉ ୩ ପଦକ

କଟକ: ଆସାମର ଗୁଆହାଟୀଠାରେ ଚାଲିଥିବା ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ତୃତୀୟ ଦିବସରେ ଓଡ଼ିଶାକୁ ୨ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ମିଳିଛି। ପ୍ରଥମ ଦିନ ଗୋଟିଏ ସ୍ବର୍ଣ୍ଣରେ ସନ୍ତୁଷ୍ଟ ଥିବା ଓଡ଼ିଶା ଦ୍ବିତୀୟ ଦିନ ୩ ସ୍ବର୍ଣ୍ଣ ଜିତିଥିଲା। ରବିବାର ଆଉ ୩ ପଦକ ଜିତିବାରୁ ଓଡ଼ିଶାର ମୋଟ ପଦକ ସଂଖ୍ୟା ୭ (୪ ସ୍ୱର୍ଣ୍ଣ, ୨ ରୌପ୍ୟ ଏବଂ ୧ କାଂସ୍ୟ)କୁ ବୃଦ୍ଧି ପାଇଛି। ରବିବାର ୧୬ ବର୍ଷରୁ କମ୍‌ ହାମର୍‌ ଥ୍ରୋ’ରେ ଓଁକାର ପ୍ରସାଦ ନନ୍ଦ ୬୨.୫୮ ମିଟର ସହିତ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଓଁକାରଙ୍କର ଏହା ଦ୍ୱିତୀୟ ବ୍ୟକ୍ତିଗତ ପଦକ। ଉତ୍ତରପ୍ରଦେଶର ଅବଦୁଲ୍‌ ରେହମାନ (୬୪.୬୧ ମିଟର) ସ୍ୱର୍ଣ୍ଣ ପଦକ ହାସଲ କରି ଜାତୀୟ ଏବଂ ମିଟ୍ ରେକର୍ଡ ପ୍ରତିଷ୍ଠା କରିଥିଲା ବେଳେ ୫୬.୪୮ ମିଟର ପ୍ରଦର୍ଶନ ସହିତ ହରିୟାଣାର ରାହୁଲ କାଂସ୍ୟ ପଦକ ଜିତିଥିଲେ।

ସେହିପରି ୧୮ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ବାଧାଦୌଡ଼ରେ ସବିତା ଟପ୍ପୋ (୧୪.୧୬ ସେକେଣ୍ଡ୍‌) ରୌପ୍ୟ ପଦକ ହାସଲ କରିଛନ୍ତି। କର୍ଣ୍ଣାଟକର ଉନ୍ନାଥି ଏସ୍‌ ବୋଲାଣ୍ଡ୍‌ (୧୩.୯୪ ସେକେଣ୍ଡ୍‌) ସ୍ୱର୍ଣ୍ଣ ଏବଂ ତାମିଲନାଡୁର ସିନ୍ନି ଗ୍ଲାଡ୍‌ସିଆ (୧୪.୬୪ ସେକେଣ୍ଡ୍‌) କାଂସ୍ୟ ପଦକ କରାୟତ୍ତ କରିଥିଲେ। ୧୮ ବର୍ଷରୁ କମ୍‌ ରିଲେରେ ଓଡ଼ିଶା ବାଳକ ଦଳକୁ କାଂସ୍ୟ ପଦକ ମିଳିଛି। ହେନ୍ଦ୍ର ସାନ୍ତା, ପଙ୍କଜ ମଣ୍ଡଳ, ଡି. ଜୟରାମ ଏବଂ ବାପି ହାଁସଦାଙ୍କୁ ନେଇ ଗଠିତ ଓଡ଼ିଶା ଦଳ ୧ ମିନିଟ୍‌ ୫୭.୩୯ ସେକେଣ୍ଡ୍‌ରେ ରେସ୍‌ ଶେଷ କରି ତୃତୀୟ ସ୍ଥାନ ଅଧିକାର କରିଥିଲା। ଆନ୍ଧ୍ରପ୍ରଦେଶକୁ ସ୍ୱର୍ଣ୍ଣ ଏବଂ ତାମିଲନାଡୁକୁ ରୌପ୍ୟ ପଦକ ମିଳିଥିଲା। ଓଡ଼ିଶା ଦୌଡ଼କୁଦ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର