କଟକ: ଜବାହର୍‌ଲାଲ୍‌ ନେହରୁ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଚାଲିଥିବା ୨୬ତମ ଜାତୀୟ ଉପକନିଷ୍ଠ ଅସିଚାଳନାରେ ଓଡ଼ିଶାକୁ ପ୍ରଥମ ପଦକ ଭେଟି ଦେଇଛନ୍ତି ଲିଖିତ କୁମାର ବିଶ୍ବାଳ। ଶୁକ୍ରବାର ଇପି ମ୍ୟାଚ୍‌ରେ ଲିଖିତ ୧୨-୧୫ ପଏଣ୍ଟରେ ହରିୟାଣାର ଅଶ୍ବିନୀ କୁମାରଙ୍କଠୁ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଛନ୍ତି। ହରିୟାଣା ପ୍ରତିଯୋଗୀ ଚମତ୍କାର ପ୍ରଦର୍ଶନ କରି ଦ୍ବିତୀୟ ଦିନରେ ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ ତିନିଟି କାଂସ୍ୟ ଜିତିଛନ୍ତି। ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶା ରାଜ୍ୟ ଅସିଚାଳନା ସଂଘ ଉପସଭାପତି ରମେଶ ଚନ୍ଦ୍ର ମଲ୍ଲିକ, ସହଦେବ ସାହୁ, ସଂପାଦକ ଦେବେନ୍ଦ୍ର ସାହୁ, ସଂଗଠନ ସଂପାଦକ ସୁମିତ ରଞ୍ଜନ ପୁରୋହିତ, ଅମ୍ରିତ କୁମାର ସାହୁ କୃତି ପ୍ରତିଯୋଗୀଙ୍କୁ ପଦକ ବଣ୍ଟନ କରିଥିଲେ। ଓଡ଼ିଶା ରାଜ୍ୟ ଅସିଚାଳନା ସଂଘ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଓ ଭାରତୀୟ ଅସିଚାଳନା ସଂଘ ମିଳିତ ଉଦ୍ୟମରେ ଏହି ପ୍ରତିଯୋଗିତା ଚାଲିଛି।