ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ୪୦ତମ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ମଙ୍ଗଳବାର ଉଦ୍ଯାପିତ ହୋଇଛି। ଏହି ୫ଦିନିଆ ପ୍ରତିଯୋଗିତାରେ ଓଡ଼ିଶା ୧ ସ୍ବର୍ଣ୍ଣ, ୩ ରୌପ୍ୟ, ୩ କାଂସ୍ୟ ସହ ମୋଟ ୭ ପଦକ ସହ ଅଭିଯାନ ଶେଷ କରିଛି। ଓଡ଼ିଶାରୁ ୭୫ (୩୮ ବାଳକ, ୩୭ ବାଳିକା) ଜଣ ଖେଳାଳି ଭାଗ ନେଇଥିଲା ବେଳେ କେବଳ ୬ ଜଣ ପଦକ ପାଇଛନ୍ତି। ନିଜ ଘରୋଇ ପଡ଼ିଆରେ ଖେଳି ନୈରାଶ୍ୟଜନକ ପ୍ରଦର୍ଶନ କରିବା ରାଜ୍ୟ କ୍ରୀଡ଼ାପ୍ରେମୀଙ୍କୁ ଦୁଃଖିତ କରିଛି। କେବଳ ପ୍ରତୀକ ମହାରଣା ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୨୦ ବର୍ଷ ବୟସ ବର୍ଗର ୨୦୦ ମିଟର ଓ ୧୦୦ ମିଟର ଦୌଡ଼ରେ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ଜିତି ଯୁଗଳ ସଫଳତା ପାଇଥିଲେ। ଖାଲି ଏତିକି ନୁହେଁ ୨୦୦ ମିଟରରେ ପ୍ରତୀକ ମିଟ୍ ରେକର୍ଡ କରିବା ସହ ଆମେରିକାର ୟୁଗେନ୍ରେ ଆସନ୍ତା ବର୍ଷ ହେବାକୁ ଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ମାନଦଣ୍ଡ (୨୦.୨୫ ସେକେଣ୍ଡ୍)କୁ ପାର୍ କରିଥିଲେ।
ଜାତୀୟ କନିଷ୍ଠ ଦୌଡ଼କୁଦ ଉଦ୍ଯାପିତ
୭୫ ଓଡ଼ିଆଙ୍କ ଭିତରୁ ପଦକ ପାଇଲେ ୬
ଶେଷ ଦିନରେ ଆନିଙ୍କୁ କାଂସ୍ୟ
ମଙ୍ଗଳବାର ଶେଷ ଦିନରେ ୧୬ ବର୍ଷରୁ କମ୍ ବାଳକ ୬୦୦ ମିଟର ଦୌଡ଼ରେ ଓଡ଼ିଶାର ଆନି ସାଲ୍ବମ୍ କାଂସ୍ୟ ଜିତିଥିଲେ। ସେ ୧ ମିନିଟ୍ ୧୯.୯୪ ସେକେଣ୍ଡ୍ ସମୟ ସହ ତୃତୀୟ ସ୍ଥାନରେ ରହିଥିଲେ। ଉତ୍ତରପ୍ରଦେଶର ମହମ୍ମଦ ସମୀର ଖାନ (୧:୧୮.୪୮) ଜାତୀୟ ରେକର୍ଡ ସହ ସ୍ବର୍ଣ୍ଣ ଏବଂ ହରିୟାଣାର ଦେବ (୧:୧୯.୦୨) ରୌପ୍ୟ ପାଇଥିଲେ। ଏହି ଇଭେଣ୍ଟ୍ରେ ଗତ ବର୍ଷ ଏଠାରେ କରିଥିବା ସୂରଜ ସିଂହଙ୍କ ଜାତୀୟ ରେକର୍ଡ (୧:୨୧.୨୨)କୁ ୫ ଜଣ ଟପିଥିଲେ। ପୂର୍ବରୁ ପ୍ରତୀକଙ୍କ ଦୁଇ ପଦକ ବାଦ୍ ଛବୀନ୍ଦ୍ର ବେହେରା (୧୪ ବର୍ଷରୁ କମ୍ ବାଳକ ଟ୍ରାଏଥଲନ୍ ‘ବି’) ରୌପ୍ୟ ପାଇଥିଲା ବେଳେ ଆଲୋକିକା ସ୍ବାଇଁ (୧୮ ବର୍ଷରୁ କମ୍ ବାଳିକା ଜାଭ୍ଲିନ୍), କୁନି ରାଜଗୋଣ୍ଡୋ (୧୪ ବର୍ଷରୁ କମ୍ ବାଳିକା ଜାଭ୍ଲିନ୍) ଓ ଓମ୍କାର ନନ୍ଦ (୨୦ ବର୍ଷରୁ କମ୍ ବାଳକ ସଟ୍ପୁଟ୍) କାଂସ୍ୟ ଜିତିଥିଲେ।