ଜାତୀୟ କନିଷ୍ଠ ଦୌଡ଼କୁଦ, ଓଡ଼ିଶାକୁ ଆଉ ୪ ପଦକ

ଭୁବନେଶ୍ବର: ଗୁଆହାଟୀର ସର୍ସୁଜାଇ ଷ୍ଟାଡିୟମ୍‌ରେ ଚାଲିଥିବା ୩୬ତମ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ତୃତୀୟ ଦିବସରେ ଓଡ଼ିଶା ୪ ପଦକ ଜିତିଛି। ଏଥି ସହିତ ଓଡ଼ିଶାର ପଦକ ସଂଖ୍ୟା ୬ରେ ପହଞ୍ଚିଛି। ଉଦ୍‌ଘାଟନୀ ଦିବସରେ ୨ ପଦକ କରାୟତ୍ତ କରିଥିବା ଓଡ଼ିଶା ଦ୍ବିତୀୟ ଦିନରେ ପଦକ ଶୂନ୍ୟ ରହିଥିଲା। ସୋମବାର ୧ ରୌପ୍ୟ ଓ ୩ କାଂସ୍ୟ ଜିତିଥିଲେ ଓଡ଼ିଶା ଖେଳାଳି।

୮୦ ମିଟର ବାଧାଦୌଡ଼ରେ ନିଜ ହିଟ୍‌ରେ ପ୍ରଥମ ସ୍ଥାନରେ ରହି ସେମିକୁ ଆସିଥିବା ରାଜେନ୍ଦ୍ର ସିଦ୍ଧୁ ୧୦.୮୪‌ ସେକେଣ୍ଡ୍ ସମୟ ସହିତ କାଂସ୍ୟ ପଦକ ଜିତିଥିଲେ। ତାମିଲନାଡୁର ହରିହରଣ (୧୦.୮୧) ଏବଂ ମହାରାଷ୍ଟ୍ରର ସନ୍ଦୀପ (୧୦.୮୧) ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ। ୧୬ ବର୍ଷରୁ କମ୍ ବାଳିକା ୮୦ ମିଟର୍‌ ବାଧାଦୌଡ଼ରେ ସବିତା ଟୋପ୍ପୋ ୧୧.୭୭ ସେକେଣ୍ଡ୍ ସମୟ ସହିତ ରୌପ୍ୟ ଜିତିଥିଲେ। କର୍ଣ୍ଣାଟକର ଉନ୍ନତି ସ୍ବର୍ଣ୍ଣ ଏବଂ ମହାରାଷ୍ଟ୍ରର ସାନିଆ କାଂସ୍ୟ ଜିତିଥିଲେ। ୧୪ ବର୍ଷରୁ କମ୍‌ ସଟ୍‌ପୁଟ୍‌ରେ ଓମକାର ପ୍ରସାଦ ନନ୍ଦ ୧୬.୩୩ ମିଟର୍‌ ଫିଙ୍ଗି କାଂସ୍ୟ ଜିତିଥିଲେ। ମଧ୍ୟପ୍ରଦେଶର ହେମନ୍ତ ଓ ଦିଲ୍ଲୀର ୟାଶ ପ୍ରଥମ ଦୁଇ ସ୍ଥାନରେ ରହିଥିଲେ। ସେହିଭଳି ବାଳିକା ୧୪ ବର୍ଷରୁ କମ୍‌ ବଲ୍‌ ‌ଥ୍ରୋ ଇଭେଣ୍ଟରେ ଓଡ଼ିଶାର ପ୍ରାଚୀ ପ୍ରିୟଦର୍ଶିନୀ ମହାରଣା ତୃତୀୟ ପ୍ରୟାସରେ ୫୦.୨୧ ମିଟର୍‌ ଫିଙ୍ଗି କାଂସ୍ୟ ପଦକ ଜିତିଥିଲେ। ଝାଡ଼ଖଣ୍ଡର ଅନିଶା କୌର୍ମି (୫୨.୧୧ ମିଟର) ଏବଂ ପଞ୍ଜାବର ନଭରୀତ୍‌ କୌର୍ (୫୨.୧୦ ମିଟର୍‌) ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଥିଲେ।

ସମ୍ବନ୍ଧିତ ଖବର