ଭୁବନେଶ୍ୱର: ସ୍ଥାନୀୟ ନୀଳାଦ୍ରୀବିହାରସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମଠାରେ ଚାଲିଥିବା ୟୋନେକ୍ସ ସନରାଇଜ୍‌ ୪୭ତମ ଜାତୀୟ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ବାଳିକା ବିଭାଗରେ ଓଡ଼ିଶା ବିଜେତା ହୋଇ ଇତିହାସ ରଚିଛି। ଓଡ଼ିଶାର ଏହି ସ୍ମରଣୀୟ ସଫଳତାରେ ଭାରତୀୟ ବ୍ୟାଡମିଣ୍ଟନ୍‌ର ବିସ୍ମୟ କନ୍ୟା ତନ୍ବୀ ପତ୍ରୀ ଏବଂ ଦୁଇ ଉଦୀୟମାନ ତାରକା ପ୍ରଗତି ପରିଡ଼ା ଓ ବିଶାଖା ଟପ୍ପୋ ପ୍ରମୁଖ ଭୂମିକା ତୁଲାଇଛନ୍ତି। ବୁଧବାର ଖେଳାଯାଇଥିବା ଦଳଗତ ବାଳିକା ଫାଇନାଲ୍‌ରେ ଆୟୋଜକ ଓଡ଼ିଶାର ଶକ୍ତିଶାଳୀ ତାମିଲନାଡ଼ୁ ସହ ଟକ୍କର ହୋଇଥିଲା। 

Advertisment

ନିଜ ପ୍ରଦର୍ଶନ ବଳରେ ଆନ୍ତର୍ଜାତିକସ୍ତରରେ ଚହଳ ସୃଷ୍ଟି କରିଥିବା ଓଡ଼ିଆ ଝିଅ ତନ୍ବୀ ପ୍ରଥମ ଏକକ ମୁକାବିଲାରେ ତାମିଲନାଡ଼ୁ ପ୍ରକ୍ରିତି ଭରତଙ୍କୁ ୧୦-୨୧, ୨୧-୧୩, ୨୧-୧୭ରେ ପରାସ୍ତ କରି ଓଡ଼ିଶାକୁ ଆଗୁଆ କରିଥିଲେ। ପରବର୍ତ୍ତୀ ଯୁଗଳ ଲଢ଼େଇରେ ପ୍ରଗତି ଓ ବିଶାଖା ଭ୍ରମଣକାରୀ ତାମିଲନାଡ଼ୁର ପ୍ରବନ୍ଧିକା ଆର୍‌ ଓ ରେସିକା ୟୁଙ୍କ ଯୋଡ଼ିକୁ ସିଧାସଳଖ ୨୧-୧୮, ୨୧-୧୪ ସେଟ୍‌ରେ ପରାସ୍ତ କରି ଓଡ଼ିଶାକୁ ୨-୦ରେ ଜିତାଇଥିଲେ। ଅନ୍ୟପକ୍ଷରେ ଦଳଗତ ବାଳକରେ ଉତ୍ତରପ୍ରଦେଶକୁ ରୋମାଞ୍ଚକ ଭାବେ ୨-୧ରେ ପରାସ୍ତ କରି ଦିଲ୍ଲୀ ବିଜେତା ହୋଇଛି। ଏହି ମୁକାବିଲାର ପ୍ରଥମ ଲଢ଼େଇରେ ଦିଲ୍ଲୀର ବଂଶ ଦେବ ପ୍ରତିପକ୍ଷ ଉତ୍ତରପ୍ରଦେଶର ପ୍ରଭାସ କୁମାର କୁସୱାଙ୍କ ଠାରୁ ୧୪-୨୧ ଓ ୧୮-୨୧ ରେ ପରାସ୍ତ ହୋଇଥିଲେ। ଯୁଗଳରେ ଦିଲ୍ଲୀର ଭାବ୍ୟା ଛାତ୍ରା ଓ ପରମ ଚୌଧୁରୀଙ୍କ ଯୋଡ଼ି ଉତ୍ତରପ୍ରଦେଶର ଉଜ୍ୱଳ ଓ ଉଜ୍ୱଳ ତୋମାରଙ୍କ ଯୋଡ଼ିକୁ ୨୧-୮, ୨୧-୧୫ ରେ ହରାଇ ସ୍ଥିତିକୁ ୧-୧ ସ୍ତରକୁ ଆଣିଥିଲେ।

ନିର୍ଣ୍ଣାୟକ ତୃତୀୟ ତଥା‌ ‌‌ଶେଷ ଏକକ ମୁକାବିଲାରେ ଗିନପଲ ଏସ୍ ଲଢ଼ୁଆ ପ୍ରଦର୍ଶନ କରି ଉତ୍ତରପ୍ରଦେଶର ଭୂମେଶ ଉତରାନିଙ୍କୁ ସିଧାସଳଖ ୨୧-୭, ୨୧-୯ ସେଟ୍‌ରେ ପରାସ୍ତ କରି ଦିଲ୍ଲୀ ୨-୧ ରେ ବିଜେତା କରାଇଥିଲେ। ଓଡ଼ିଶା ବ୍ୟାଡମିଣ୍ଟନ୍ ସଂଘ (ଓସବା) ସଭାପତି ରାଜେଶ ପ୍ରଭାକର ପାଟିଲ, ଏସିଆ ବ୍ୟାଡ୍‌ମିଣ୍ଟନ୍‌ର ବୈଷୟିକ କମିଟିର ଅଧ୍ୟକ୍ଷ ଓମାର୍‌ ରସିଦ, ପାରା ବ୍ୟାଡ୍‌ମିଣ୍ଟନ୍‌ ଅଧ୍ୟକ୍ଷ ତଥା ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ପ୍ରଭାକର ରାଓ, ଓସ୍‌ବା ସଂପାଦକ ନୀଲିନ କୁମାର, ଉପସଭାପତି ପ୍ରଦୀପ ପଟ୍ଟନାୟକ, ଶୈଳେନ୍ଦ୍ର ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ନଗଦ ଅର୍ଥ, ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଉଭୟ ବାଳକ ଓ ବାଳିକା ବିଭାଗର ବିଜେତା ଦଳକୁ ୧ଲକ୍ଷ ୨୫ହଜାର ଟଙ୍କା, ଉପବିଜେତା ଦଳକୁ ୬୨ହଜାର ୫୦୦ ଟଙ୍କା ଏବଂ ସେମିଫାଇନାଲିଷ୍ଟଙ୍କୁ ୩୧ହଜାର ୨୫୦ ଟଙ୍କା ଲେଖାଏଁର ଚେକ୍ ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଦୀପକ ମହାନ୍ତି, ମନୋରଂଜନ ପଣ୍ଡା, ଲକ୍ଷାପତି ନନ୍ଦ, ରୀତା ଦାଶ, ପ୍ରୀତପାଲ ସିଂହ, ସୁଦୀପ ବିଶୋଇ, ସରୋଜ ସାହୁ, ମନୋରଂଜନ ପଣ୍ଡା, ସୁରେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।