ବଲାଙ୍ଗୀର: ପୃଥ୍ୱୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୩୫ତମ ଜାତୀୟ ଉପକନିଷ୍ଠ ବ୍ୟାଡ୍‌ମିଣ୍ଟନ ଚାମ୍ପିଅନ୍‌ସିପ୍‌ର ସେମିଫାଇନାଲ୍‌ ଖେଳ ଗୁରୁବାର ଅନୁଷ୍ଠିତ ହୋଇଛି। ବାଳିକା ଏକକରେ ଓଡ଼ିଶାର ତନ୍‌ଭୀ ପତ୍ରୀ ୨୧-୧୬ ଓ ୨୧-୮ରେ ତାମିଲନାଡୁର ହନ୍‌ସିନୀ ଚନ୍ଦରମଙ୍କୁ ପରାଜିତ କରି ଫାଇନାଲରେ ପହଞ୍ଚିଛନ୍ତି। ଅନ୍ୟ ଏକ ସେମିଫାଇନାଲରେ କର୍ଣ୍ଣାଟକର ସାଇନା ମନିମୁଥୁ ୧୨-୨୧, ୨୧-୧୬ ଓ ୨୧-୧୮ର ହରିୟାଣାର ଜୋଏଲ ରାଣାଙ୍କୁ ପରାଜିତ କରି ଫାଇନାଲରେ ପହଞ୍ଚିଛନ୍ତି। ଫାଇନାଲ୍‌ରେ ୩ ନମ୍ବର ମାନ୍ୟତାପ୍ରାପ୍ତ ତନ୍‌ଭୀ ପତ୍ରୀ ଓ ଦେଶର ଏକ ନମ୍ବର କର୍ଣ୍ଣାଟକର ସାଇନା ମନିମୁଥୁ ମୁହାଁମୁହିଁ ହେବେ।

Advertisment

ସେହିପରି ବାଳକ ବିଭାଗରେ କର୍ଣ୍ଣାଟକର ପୁଷ୍କର ସାଏ ୨୧-୧୪, ୧୫-୨୧ ଓ ୨୧-୭ରେ ପଶ୍ଚିମବଂଗର ସ୍ୱୟଂଜ୍ୟୋତି ଘୋଷଙ୍କୁ ଏବଂ ଦିଲ୍ଲୀର ହର୍ଷିତ କ୍ଷତ୍ରୀ ୨୧-୧୨, ୨୧-୧୨ ସେଟ୍‌ରେ ଆନ୍ଧ୍ରପ୍ରଦେଶର ହେମନ୍ତ ସିଂହଙ୍କୁ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଭାରତୀୟ ବ୍ୟାଡମିଣ୍ଟନ ସଂଘ ଉପସଭାପତି ମୁରଲୀଧରନ, ବୈଷୟିକ କମିଟିର ରାକେଶ ଶେଖର, ଅନ୍ତର୍ଜାତୀୟ ରେଫରି ତଥା ଅମ୍ପାୟାର ପିଆନ୍‌ସି ଦଥାନ, ସୁଧୀର ଭାର୍ବେ, ମ୍ୟାଚ କଣ୍ଟ୍ରୋଲର ଜି. ପ୍ରଶାନ୍ତ, ରେଫରି ଡ. ସତୀଶ ମାଲ୍ୟା, ଡେପୁଟି ରେଫରି ରୀତା ଦାଶ, ସାଂଗଠନିକ ସଂପାଦକ ଲିଲିନ କୁମାର, ରାଜ୍ୟ ଉପସଭାପତି ପ୍ରଦୀପ ପଟ୍ଟନାୟକ, ଜିଲ୍ଲା ବ୍ୟାଡ୍‌ମିଣ୍ଟନ ସଂଘ ସଂପାଦକ ତଥା ଜାତୀୟ ଉପକନିଷ୍ଠ ଚାମ୍ପିଅନ୍‌ସିପ୍‌ର ସଂଯୋଜକ ସୁରୁଲାଲ ମଟାରୀ, ଦୀପକ ମହାନ୍ତି, ମନୋରଞ୍ଜନ ଦାଶ, ଶୁଭମ ଶର୍ମା ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି। ଫାଇନାଲ ଖେଳ ଶୁକ୍ରବାର ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।