ଭୁବନେଶ୍ୱର: ନିଳାଦ୍ରୀବିହାର ବିଜୁ ପଟ୍ଟନାୟକ ବହୁମୁଖି ଇନ୍ଡୋର ଷ୍ଟାଡିୟମ୍ ଏବଂ ସହିଦ ନଗର ଇନ୍ଡୋର ଷ୍ଟଡିୟମ୍ଠାରେ ଚାଲିଥିବା ୟୋନେକ୍ସ ସନ୍ରାଇଜ୍ ୪୭ତମ ଜାତୀୟ କନିଷ୍ଠ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର ବ୍ୟକ୍ତିଗତ ଇଭେଣ୍ଟ୍ରେ ପ୍ରାୟ ସମସ୍ତ ମାନ୍ୟତାପ୍ରାପ୍ତ ଖେଳାଳି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଶୀର୍ଷ ମାନ୍ୟତାପ୍ରାପ୍ତ ବାଳକ ଖେଳାଳି ରାଜସ୍ଥାନର ସଂସ୍କାର ସାରସ୍ୱତ ୨୧-୪, ୨୨-୨୦ ରେ ତେଲେଙ୍ଗାନାର ସାଇ ପ୍ରସାଦଙ୍କୁ, ଉତ୍ତରପ୍ରଦେଶର ଭୂମେଶ ଉତରାଣୀ ୨୨-୨୦, ୨୧-୭ରେ ମିଜୋରାମର ସାଇଲୋ ଭନଲାଲଙ୍କୁ ପରାସ୍ତ କରିଛନ୍ତି। ଠିକ୍ ସେହି ପରି ତୃତୀୟ ମାନ୍ୟତାପ୍ରାପ୍ତ ଦିଲ୍ଲୀର ଗିନପଲ ଏସ୍ ୨୧-୧୯, ୨୧-୧୩ରେ ବିହାରର ସକ୍ଷମ ବତ୍ସାଙ୍କୁ ଏବଂ ସପ୍ତମ ମାନ୍ୟତାପ୍ରାପ୍ତ ମହାରାଷ୍ଟ୍ରର ପ୍ରଜ୍ବଳ ସୁନବାନେ ୨୧-୧୭, ୨୧-୧୧ରେ ଆନ୍ଧ୍ରପ୍ରଦେଶର ଊମା ମହେଶ୍ୱର ରେଡ୍ଡୀଙ୍କୁ ପରାସ୍ତ କରି ଅଗ୍ରସର ହୋଇଛନ୍ତି।
ବାଳିକା ବିଭାଗରେ ଶୀର୍ଷ ମାନ୍ୟତାପ୍ରାପ୍ତ ହରିୟାଣାର ମେଧାବୀ ନାଗର ୨୧-୧୧, ୨୧-୩ରେ ଛତିଶଗଡ଼ର ରେବାରାଜେ ବର୍ମାଙ୍କୁ, ଚତୁର୍ଥ ମାନ୍ୟତାର ଦୁର୍ଗା କନ୍ଦରପୁ ୨୧-୭, ୨୧-୧୨ରେ ଉତ୍ତରପ୍ରଦେଶର କାଜନ ପନୱରଙ୍କୁ, ଦଶମ ମାନ୍ୟତାପ୍ରାପ୍ତ ତାମିଲନାଡୁ ଖେଳାଳି ଆଦର୍ଶିନୀ ଶ୍ରୀ ୨୧-୫, ୨୧-୨ରେ ଓଡ଼ିଶାର ଗୀତାଶ୍ରୀ ଦେଇଙ୍କୁ ଏବଂ ଓଡ଼ିଶାର ତନ୍ବୀ ପତ୍ରୀ ୨୧-୧୫, ୨୧-୧୧ରେ ମହାରାଷ୍ଟ୍ରର ମଧୁମିତା ନାରାୟଣଙ୍କୁ ପରାସ୍ତ କରିଛନ୍ତି। ବାଳିକା ଯୁଗଳରେ ଓଡ଼ିଶା ଯୋଡ଼ି ପ୍ରଗତି ପରିଡ଼ା-ବିଶାଖା ଟୋପ୍ପୋ ୨୧-୮ ଓ ୨୧-୧୪ରେ ହିମାଚଳପ୍ରଦେଶର ଗାରିମା ବର୍ମା ଓ ପ୍ରଜ୍ଞା ବର୍ମାଙ୍କୁ ପରାସ୍ତ କରିଛନ୍ତି। ଏହି ପ୍ରତିଯୋଗିତାର ସଫଳ ରୂପାୟନ ପାଇଁ ଏସିଆ ବ୍ୟାଡ୍ମିଣ୍ଟନ୍ ବୈଷୟିକ ସମିତିର ଅଧ୍ୟକ୍ଷ ଓମାର ରସିଦ, ବାଇ ପର୍ଯ୍ୟବେକ୍ଷକ ପ୍ରଭାକର ରାଓ, ଓସ୍ବା ସଭାପତି ରାଜେଶ ପ୍ରଭାକର ପାଟିଲ, ଉପସଭାପତି ପ୍ରଦୀପ ପଟ୍ଟନାୟକ, ସଂପାଦକ ନୀଲିନ କୁମାର, ଶୈଳେନ୍ଦ୍ର ଚୌଧୁରୀ ପ୍ରମୁଖ ତତ୍ତ୍ବାବଧାନ କରୁଛନ୍ତି।