ଭୁବନେଶ୍ୱର: ସ୍ଥାନୀୟ ନୀଳାଦ୍ରିବିହାରସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍ଡୋର ଷ୍ଟଡିୟମ୍ରେ ଆୟୋଜିତ ୟୋନେକ୍ସ ସନ୍ରାଇଜ୍ ୪୭ତମ ଜାତୀୟ କନିଷ୍ଠ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା ସୋମବାର ଉଦ୍ଯାପିତ ହୋଇଛି। ଓଡ଼ିଶାର ସମ୍ମାନ ରଖିଛନ୍ତି ଉଦୀୟମାନ ପ୍ରତିଭା ବିଶାଖା ଟୋପ୍ପୋ। ଏହି ରାଉରକେଲା ଝିଅ ମିଶ୍ରିତ ଯୁଗଳରେ ଟ୍ରଫି ଜିତି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଅନ୍ୟ ୪ ବର୍ଗରେ ଓଡ଼ିଶା ଖେଳାଳି ଫାଇନାଲ୍ରେ ପହଞ୍ଚିପାରି ନଥିବା ବେଳେ ମିଜୋରାମର ଲାଲାରାମ ସୋଙ୍ଗାଙ୍କୁ ସାଥୀ କରି ବିଶାଖା ମିଶ୍ରିତ ଯୁଗଳ ଟ୍ରଫି ହାସଲ କରିଛନ୍ତି। ଏହି ସଫଳତା ମଧ୍ୟ ଓଡ଼ିଶା ପାଇଁ ଅପୂର୍ବ ଗୌରବ ଆଣିଛି। ବିଶାଖା-ଲାଲରାମ ଯୋଡ଼ି ଫାଇନାଲ୍ରେ ଆନ୍ଧ୍ରପ୍ରଦେଶ-ତାମିଲନାଡୁ ଯୋଡ଼ି ଭାର୍ଗବ ରାମ-କେ ଭେନିଲାଙ୍କୁ ୨୧-୧୬, ୧୦-୨୧, ୨୧-୧୮ରେ ପରାସ୍ତ କରିଥିଲେ। କିନ୍ତୁ ବାଳିକା ଏକକ ସେମିଫାଇନାଲ୍ ଉଠିଥିବାରୁ ଓଡ଼ିଆ ଝିଅ ତନ୍ବୀ ପତ୍ରୀ କାଂସ୍ୟ ପଦକ ହାସଲ କରିଛନ୍ତି।
ସଂଘର୍ଷପୂର୍ଣ୍ଣ ବାଳିକା ଏକକରେ ତାମିଲନାଡୁର ପ୍ରକୃତି ଭରତ ୧୮-୨୧, ୨୧-୮, ୨୧-୮ରେ ମହାରାଷ୍ଟ୍ରର ଆଲିଶା ନାଏକଙ୍କୁ ହରାଇ ବିଜୟିନୀ ହୋଇଛନ୍ତି। ସେହିଭଳି ବାଳକ ଏକକରେ ମହାରାଷ୍ଟ୍ରର ପ୍ରଣୟ ସେଟ୍ଟୀଗାର ୨୧-୧୭, ୨୧-୧୨ରେ କର୍ଣ୍ଣାଟକର ତୁଷାର ସୁବୀରଙ୍କୁ ହରାଇ ବିଜେତା ହୋଇଛନ୍ତି। ବାଳିକା ଯୁଗଳରେ ମିଜୋରାମ-ଛତିଶଗଡ଼ ଯୋଡ଼ି ଲାଲ ରେମ୍ପୁଇ-ତନୁ ଚନ୍ଦ୍ରା ୨୩-୨୧, ୨୧-୧୫ରେ ଆନ୍ଧ୍ର-ମହାରାଷ୍ଟ୍ର ଯୋଡ଼ି ଦୁର୍ଗା ଇସା କନ୍ଦରପୁ ଓ ତାରିଣୀ ସୁରିଙ୍କୁ ଏବଂ ବାଳକ ଯୁଗଳରେ ଉତ୍ତରପ୍ରଦେଶ-ରାଜସ୍ଥାନ ଯୋଡ଼ି ଅର୍ଶ ମୋହମ୍ମଦ-ସଂସ୍କାର ସାରସ୍ୱତ ୨୧-୧୬, ୨୧-୧୯ରେ ପଣ୍ଡିଚେରୀ-ତାମିଲନାଡୁ ଯୋଡ଼ି ମିଥିଲେଶ ପି କ୍ରିଷ୍ଣନ-ଅରୁଲ ମୁରୁଗାନଙ୍କୁ ପରାସ୍ତ କରି ଟ୍ରଫି ଜିତିଛନ୍ତି।
ଓସ୍ବା କାର୍ଯ୍ୟକାରିଣୀ ସଦସ୍ୟ ସୁରୁଲାଲ ମଟାରିଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ରାଜ୍ୟ ସଂଘ ସଭାପତି ରାଜେଶ ପ୍ରଭାକର ପାଟିଲ, ପର୍ଯ୍ୟବେକ୍ଷକ ତଥା ପାରା ବ୍ୟାଡ୍ମିଣ୍ଟନ୍ ସଂଘ ଅଧ୍ୟକ୍ଷ କେ ପ୍ରଭାକର ରାଓ, ଉପସଭାପତି ମନୋରଞ୍ଜନ ପଣ୍ଡା, ସମ୍ପାଦକ ନୀଲିନ କୁମାର, ଯୁଗ୍ମ ସମ୍ପାଦକ ଶୈଳେନ୍ଦ୍ର ଚୌଧୁରୀ, ମୁଖ୍ୟ ରେଫରି ଡି. ଦିନେଶ, କମଳ ଦାସ ପ୍ରମୁଖ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଓଡିଶାର ତନ୍ବୀ ପତ୍ରିଙ୍କୁ ଜାତୀୟ, ଅନ୍ତର୍ଜାତୀୟ ପ୍ରତିଯୋଗୀତାରେ ଅତିଉତ୍ତମ ପ୍ରଦର୍ଶନ ପାଇଁ ଓସ୍ବା ତରଫରୁ ସଭାପତି ଶ୍ରୀ ପାଟିଲ ଦୁଇ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ୭ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ସଫଳ ଆୟୋଜନରେ ଓସ୍ବା ସଦସ୍ୟ ଶୁଭ୍ରାଂଶୁ ପଣ୍ଡା, ତାରାକାନ୍ତ ଦାସ, ସୌଭାଗ୍ୟ ଜଗଦେବ, ଅବଦୁଲ ହାକିମ, ଦିନେଶ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।