କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଜାତୀୟ ଉପକନିଷ୍ଠ ବାଳିକା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ୧ ପଏଣ୍ଟରୁ ଅଭିଯାନ ଆରମ୍ଭ କରିଛି। ରବିବାର ଉତ୍ତରାଖଣ୍ତ ବିପକ୍ଷ ନିଜର ପ୍ରଥମ ମ୍ୟାଚ୍‌କୁ ୧-୧ ଗୋଲ୍‌ରେ ଅମୀମା˚ସିତ ରଖି ପଏଣ୍ଟ୍‌ ବାଣ୍ଟିବାକୁ ବାଧ୍ୟ ହୋଇଛି। ୪୪ ମିନିଟ୍‌ରେ ଅନୀଷା କୁମ୍ଭାର ପ୍ରଥମ ଗୋଲ୍‌ ଦେଇଥିଲା ବେଳେ ୫୮ ମିନିଟ୍‌ରେ ଉତ୍ତରାଖଣ୍ତର ଆଦିତି ପରମର ଗୋଲ୍‌ ପରିଶୋଧ କରିଥିଲେ। ଶେଷ ପର୍ଯ୍ୟନ୍ତ ଆଉ କୌଣସି ଗୋଲ୍‌ ହୋଇନଥିଲା। ଏଠାରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ବିହାର ୩-୧ ଗୋଲ୍‌ରେ ମଣିପୁରକୁ ହରାଇଛି। ମୋଇରଙ୍ଗଥେମ୍‌ ଅମ୍ବିକା ଦେବୀ ମଣିପୁର ପାଇଁ ୪୫ ମିନିଟ୍‌ରେ ଖାତା ଖୋଲିଥିଲେ। ହେଲେ ଦ୍ବିତୀୟାର୍ଧରେ ଆଉ ସୁଯୋଗ ନଦେଇ ବିହାରର ଶ୍ରୁତି କୁମାରୀ ୫୪ ମିନିଟ୍‌, ପଲ୍ଲବୀ କୁମାରୀ ୫୬ ମିନିଟ୍‌ ଓ ଲକି କୁମାରୀ ୬୫ ମିନିଟ୍‌ରେ ଗୋଟିଏ ଲେଖ‌ାଏଁ ଗୋଲ ଦେଇ ଦଳକୁ ଜିତାଇଥିଲେ। ତୃତୀୟ ମ୍ୟାଚ୍‌ରେ ମେଘାଳୟ ୫-୧ ଗୋଲ୍‌ରେ କେରଳକୁ ହରାଇଛି। ସୁନାଲିଣ୍ତା ଇଵାରେନ୍‌ ୫ମିନିଟ୍‌, ସାନ୍‌ଫିଡା ନଙ୍ଗ୍ରୁମ୍‌ ୮ ଓ ୧୪ ମିନିଟ୍‌, ଦାରିସିସା ଖରଲିଙ୍ଗଡୋ ୧୭ ମିନିଟ୍‌, ଜିଙ୍ଗସୁକ୍‌ ବାସାଵାୟାମୋଟ ୨୦ ମିନିଟ୍‌ରେ ଏବ˚ କେରଳ ପାଇଁ ଅପର୍ଣ୍ଣା କେଆର‌୍‌ ୬୧ ମିନିଟ୍‌ରେ ଗୋଲ ଦେଇଥିଲେ।

Advertisment

ଡ୍ରିମ୍ସ ପଡ଼ିଆରେ ମିଜୋରାମ ୩-୧ ଗୋଲ୍‌ରେ ହିମାଚଳ ପ୍ରଦେଶକୁ ପରାସ୍ତ କରିଛି। ବିଜୟୀ ଦଳ ପାଇଁ ୧୦ ମିନିଟ୍‌ରେ ଟି ଗୋରୀ ପ୍ରଥମ ଗୋଲ୍‌ ଦେଇଥିଲା ବେଳେ ୩୫ ମିନିଟ୍‌ରେ ଜେନି ଜୋଥାନ୍‌ମାଵାଵି ଓ ୬୦ ମିନିଟ୍‌ରେ ଇମାନୁଏଲ୍‌ ମାଲ୍‌ସାଵାମ୍‌ଲୁଙ୍ଗି ଗୋଲ୍‌ ସ୍କୋର କରିଥିଲେ। ଶେଷ ମିନିଟ୍‌ରେ ହିମାଚଳ ପାଇଁ ସାରିକା ଗୋଟିଏ ଗୋଲ୍‌ ଦେବାରେ ସଫଳ ହୋଇଥିଲେ। ଏଠାରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ଗୁଜୁରାଟ ୫-୦ ଗୋଲ୍‌ରେ ଜମ୍ମୁ କାଶ୍ମୀରକୁ ହରାଇଛି। ଖୁସ୍‌ବୁ କାଶିରାମ ସରୋଜ ୩୮, ୪୯, ୬୯ ମିନିଟ୍‌ରେ ତିନିଟି ଗୋଲ୍‌ ଏବ˚ ଭୂମିଶା ଡ୍ରାଭିଡ୍‌ ୫୨, ୮୮ ମିନଟ୍‌ରେ ଦୁଇଟି ଗୋଲ୍‌ ଦେଇ ଦଳକୁ ଏକତରଫା ବିଜୟୀ କରାଇଥିଲେ।