ରାଉରକେଲା: ମଧ୍ୟପ୍ରଦେଶ ଜାତୀୟ କନିଷ୍ଠ ହକି ପ୍ରତିଯୋଗିତାରେ ବିଜେତା ହୋଇଛି। ରାଉରକେଲାର ବୀର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ରେ ଖେଳାଯାଇଥିବା ଫାଇନାଲ୍ରେ ମଧ୍ୟପ୍ରଦେଶ ୪-୨ ଗୋଲ୍ରେ ଚଣ୍ଡିଗଡ଼କୁ ପରାସ୍ତ କରିଛି। କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ୍ର ମ୍ୟାଚ୍ର ନବମ ମିନିଟ୍ରେ ଚଣ୍ଡିଗଡ଼ର ସୁମିତଙ୍କ ଫିଲ୍ଡ ଗୋଲ୍ରେ ଦଳ ପ୍ରଥମ କ୍ବାର୍ଟରେ ୧-୦ରେ ଆଗୁଆ ରହିଥିଲା। ତେବେ ଦ୍ବିତୀୟ କ୍ବାର୍ଟର ଆରମ୍ଭ ହେବାର ଦୁଇ ମିନିଟ୍ ଭିତରେ ମଧ୍ୟପ୍ରଦେଶର ଶ୍ରେୟସ ଧୁପେ ଗୋଲ୍ ଶୁଝି ସ୍ଥିତି ୧-୧କୁ ଆଣିଥିଲେ। ଏହାପରେ ମହମ୍ମଦ କୋନୈନ ଦାଦ (୨୫) ଗୋଟିଏ ଗୋଲ୍ ଦେଇ ମଧ୍ୟପ୍ରଦେଶକୁ ୨-୧ରେ ଆଗୁଆ କରିଥିଲେ। ତୃତୀୟ କ୍ବାର୍ଟର ବେଳକୁ ଚଣ୍ଡିଗଡ଼ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ୩୧ତମ ମିନିଟ୍ରେ ଚଣ୍ଡିଗଡ଼ର ସୁରୀନ୍ଦର ସିଂହ ଗୋଟିଏ ଗୋଲ୍ ଦେଇ ମ୍ୟାଚ୍କୁ ବରାବର କରିଥିଲେ। ତୃତୀୟ କ୍ବାର୍ଟର ଶେଷ ହେବାକୁ ଆଉ ୧୦ ମିନିଟ ବାକିଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ସତ୍ତ୍ବେ ତୃତୀୟ କ୍ବାର୍ଟର ଖେଳ ସମାପ୍ତ ହୋଇଥିଲା। ବିଳମ୍ବରେ ଆରମ୍ଭ ହୋଇଥିବା ଶେଷ କ୍ବାର୍ଟରରେ ଶ୍ରେୟସ ଧୁପେ (୪୬ ମିନିଟ୍) ଓ ଅଲ୍ଲି ଅହମଦ (୫୨ ମିନିଟ୍) ମଧ୍ୟପ୍ରଦେଶକୁ ଜିତାଇଥିଲେ।
ଏଥିପୂର୍ବରୁ ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍ରେ ଓଡ଼ିଶା ୧-୩ ଗୋଲ୍ରେ ହରିୟାଣାଠାରୁ ପରାସ୍ତ ହୋଇ ଚତୁର୍ଥ ସ୍ଥାନରେ ରହିଛି। ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚ୍ର ଚତୁର୍ଥ ମିନିଟ୍ରେ ହରିୟାଣାର ଶୁଭମ ଗୋଟିଏ ଗୋଲ୍ ଦେଇ ଦଳକୁ ଆଗୁଆ କରିଥିଲେ। ପରେ ଅଧିନାୟକ ରୋହିତ (୨୮) ଓ ପରୀକ୍ଷିତ ପାଞ୍ଚାଳ (୫୧)ଙ୍କ ଗୋଲ୍ ବଳରେ ଦଳ ୩-୦ରେ ଆଗୁଆ ହୋଇଥିଲା। ମ୍ୟାଚ୍ର ୫୩ତମ ମିନିଟ୍ରେ ଘରୋଇ ଦଳର ଆକାଶ ସୋରେଙ୍ଗ ଗୋଟିଏ ଗୋଲ୍ ଶୁଝିବାରେ ସକ୍ଷମ ହୋଇଥିଲେ। ଓଡ଼ିଶା ଖେଳାଳି ଗୁରୁବାର ଏକାଧିକ ପେନାଲ୍ଟି କର୍ଣ୍ଣର୍ ସୁଯୋଗ ହାତଛଡ଼ା କରିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା।