ଜାତୀୟ ଉପକନିଷ୍ଠ ବାଳିକା ଫୁଟ୍‌ବଲ, ସାରିକାଙ୍କ ୭ ଗୋଲ: ହିମାଚଳ ବିଜୟୀ

କଟକ: ଏଠାରେ ଚାଲିଥିବା ଜାତୀୟ ଉପକନିଷ୍ଠ ବାଳିକା ଫୁଟ୍‌ବଲ ପ୍ରତିଯୋଗିତାରେ ସୋମବାର ବିହାର, ଉତ୍ତରାଖଣ୍ତ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ଗୁଜୁରାଟ ବିଜୟୀ ହୋଇଛନ୍ତି। ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଉତ୍ତରାଖଣ୍ତ ୨-୦ ଗୋଲ୍‌ରେ ଗୋଆକୁ ହରାଇଛି। ମିନାକ୍ଷୀ ନେଗି ୧୨ ଓ ୪୫ ମିନିଟ୍‌ରେ ଗୋଲ୍‌ ଦେଇଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ଅରୁଣାଚଳ ପ୍ରଦେଶ ୩-୧ ଗୋଲ୍‌ରେ ମିଜୋରାମକୁ ପରାସ୍ତ କରିଛି। ୧୮ତମ ମିନିଟ୍‌ରେ ମିଜୋରାମ ପକ୍ଷରୁ ଇମାନୁଏଲ୍‌ ପ୍ରଥମ ଗୋଲ୍‌ ଦେଇଥିଲ‌ା ବେଳେ ଅରୁଣାଚଳର ତାଲୋ ଆନ୍ନା ୩୪ ଓ ୬୬ ମିନିଟ୍‌, ବାମାଙ୍ଗ ୟାରୋ ୫୦ ମିନିଟ୍‌ରେ ତିନିଟି ଗୋଲ୍‌ ଦେଇ ଦଳକୁ ଜିତାଇଥିଲେ। ତୃତୀୟ ମ୍ୟାଚ୍‌ରେ ହିମାଚଳ ୮-୦ ଗୋଲ୍‌ରେ ଆନ୍ଧ୍ରପ୍ରଦେଶକୁ ହରାଇଛି। ବିଜୟୀ ଦଳର ସାରିକା ଏକାକି ୭ ଗୋଲ୍‌ (୧୪, ୩୧, ୩୬, ୪୦, ୪୫, ୭୨, ୮୬ ମିନିଟ୍‌) ଦେଇଥିଲା ବେଳେ ଖୁସ୍‌ବୁ ୯୦ ମିନିଟ୍‌ରେ ଶେଷ ଗୋଲ୍‌ ଦେଇ ଦଳକୁ ଏକତରଫା ଭାବେ ବିଜୟୀ କରାଇଥିଲେ। ଡ୍ରିମ୍ସରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ବିହାର ୫-୦ ଗୋଲ୍‌ରେ ଦିଲ୍ଲୀକୁ ପରାସ୍ତ କରିଛି। ବିଜୟୀ ଦଳର ଲକି କୁମାରୀ ୭୬, ୮୫, ୯୨, ୯୩ ମିନିଟ୍‌ରେ ୪ ଗୋଲ ଦେଇଥିଲା ବେଳେ ସବରା ଖାତୁନ୍‌ ୫୫ ମିନିଟ୍‌ରେ ଆଉ ଏକ ଗୋଲ୍‌ ସ୍କୋର କରିଥିଲେ। ଏଠାରେ ଦ୍ବିତୀୟ ମ୍ୟାଚ୍‌ରେ ଗୁଜୁରାଟ ୪-୦ ଗୋଲ୍‌ରେ କେରଳକୁ ହରାଇଥିଲା। ଖୁସ୍‌ବୁ କାଶିରାମ ସରୋଜ ୧୧ ଓ ୧୮ ମିନିଟ୍‌ ଏବ˚ ଆର୍ଯ୍ୟ ଭଟ୍ଟ ୩୪ ମିନିଟ୍‌, ଭୂମିଷା ଡ୍ରାଭିଡ୍‌ ୯୪ ମିନିଟ୍‌ରେ ଗୋଲ ଦେଇ ଦଳକୁ ଜିତାଇଥିଲେ।

ସମ୍ବନ୍ଧିତ ଖବର