କଟକ/ଭୁବନେଶ୍ବର: ଓଡ଼ିଶା ଏବଂ ଗାଙ୍ଗ୍ପୁର-ଓଡ଼ିଶା ଦଳ ହରିଆନାର ହିସାର୍ଠାରେ ଚାଲିଥିବା ନବମ ଜାତୀୟ ଉପକନିଷ୍ଠ ବାଳିକା ହକିର କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ରବିବାର ଶେଷ ଲିଗ୍ ମ୍ୟାଚ୍କୁ ଓଡ଼ିଶା ୬-୧ ଗୋଲ୍ରେ ଜିତି ଏହି ଯୋଗ୍ୟତା ଅର୍ଜନ କରିଛି। ୪ ତାରିଖରେ ଖେଳାଯିବାକୁଥିବା କ୍ବାର୍ଟର ଫାଇନାଲ୍ରେ ଓଡ଼ିଶାର ମୁକାବିଲା ମଧ୍ୟପ୍ରଦେଶ ସହିତ ହେବ। ପଞ୍ଜାବ ବିପକ୍ଷରେ ଖେଳାଯାଇଥିବା ଏହି ଶେଷ ଲିଗ୍ ମ୍ୟାଚ୍ରେ ଓଡ଼ିଶା ଆରମ୍ଭରୁ ଚାପ ପକାଇଥିଲା। ୯ ମିନିଟ୍ରେ ମମତା କିଣ୍ତୋ ପେନାଲ୍ଟି କର୍ଣ୍ଣର ଜରିଆରେ ପ୍ରଥମ ଗୋଲ୍ ଦେଇଥିଲା ବେଳେ ଆସୀମା ରାଉତ ୧୪ ମିନିଟ୍ରେ ଆଉ ଏକ ଗୋଲ୍ ଦେଇ ଓଡ଼ିଶାକୁ ଆଗରେ ରଖିଥିଲେ। ୨୮ତମ ମିନିଟ୍ରେ ମମତାଙ୍କ ଦ୍ବିତୀୟ ଗୋଲ୍ ବଳରେ ଓଡ଼ିଶା ୩-୦ରେ ମ୍ୟାଚ୍ ନିଜ କବ୍ଜାକୁ ଆଣିସାରିଥିଲା। ତେବେ ୩୪ ମିନିଟ୍ରେ ପଞ୍ଜାବର ଗଗନପ୍ରୀତ କୌର ଗୋଟିଏ ଗୋଲ୍ ଶୁଝି ବ୍ୟବଧାନ କମାଇଥିଲେ। କିନ୍ତୁ ଏହାପରେ ଆଉ ସୁଯୋଗ ନଦେଇ ଓଡ଼ିଶାର ମମତା ନିଜର ବ୍ୟକ୍ତିଗତ ତୃତୀୟ ଗୋଲ୍ (୫୭ ମିନିଟ୍) ସହ ସୁମି ମୁଣ୍ତାରୀଙ୍କ ଦୁଇଟି (୪୩, ୫୮ ମିନିଟ୍) ଗୋଲ୍ ବଳରେ ଓଡ଼ିଶା ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲା। ଏଥି ପୂର୍ବରୁ ଓଡ଼ିଶା ପ୍ରଥମ ମ୍ୟାଚ୍ରେ ହରିୟାଣାଠୁ ୨-୬ ଗୋଲ୍ରେ ପରାସ୍ତ ହୋଇଥିଲା। କିନ୍ତୁ ଏହାପରଠୁ ଖେଳିଥିବା କୌଣସି ମ୍ୟାଚ୍ ହାରିନଥିଲା ବେଳେ କର୍ଣ୍ଣାଟକକୁ ୩-୦, ବିହାରକୁ ୭-୦ ଗୋଲ୍ରେପରାସ୍ତ କରିଥିଲା।
ଅନ୍ୟପକ୍ଷରେ ଅନ୍ୟତମ ଓଡ଼ିଶା ଦଳ ଗାଙ୍ଗ୍ପୁର-ଓଡ଼ିଶା ମଧ୍ୟ ଏହି ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍ ସ୍ଥାନ ସୁରକ୍ଷିତ କରିଛି। ଲିଗ୍ ପର୍ଯ୍ୟାୟରେ ୪ ମ୍ୟାଚ୍ର ୨ ଲେଖାଏଁ ବିଜୟ ଓ ପରାଜୟ ବଳରେ ଗାଙ୍ଗ୍ପୁର ଦଳ କ୍ବାର୍ଟର ପ୍ରବେଶ କରିଛି। କ୍ବାର୍ଟର ଫାଇନାଲ୍ରେ ଗାଙ୍ଗ୍ପୁର ଦଳର ମୁକାବିଲା ଝାଡ଼ଖଣ୍ଡ ସହ ହେବ। ଆସନ୍ତା ମଙ୍ଗଳବାର କ୍ବାର୍ଟର ଫାଇନାଲ୍ ଖେଳାଯିବ। ଅନ୍ୟ ଦୁଇ କ୍ବାର୍ଟର ଫାଇନାଲ୍ ହିମାଚଳ ପ୍ରଦେଶ-ସାଇ ଏବଂ ହରିଆନା-ଚଣ୍ଡୀଗଡ଼ ମଧ୍ୟରେ ଖେଳାଯିବ।