ରାଉରକେଲା: ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍ରେ ପ୍ରତିପକ୍ଷ ଝାଡ଼ଖଣ୍ଡକୁ ୧-୦ ଗୋଲ୍ରେ ପରାସ୍ତକରି ମଧ୍ୟପ୍ରଦେଶ ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତାର ବିଜେତା ହୋଇଛି। ଝାଡ଼ଖଣ୍ଡ ଖେଳାଳି କଡ଼ା ଟକ୍କର ଦେଇଥିଲେ ମଧ୍ୟ ଉପବିଜେତାରେ ସନ୍ତୁଷ୍ଟ ହୋଇଛନ୍ତି। ଅପରପକ୍ଷରେ ହରିୟାଣା ଏକତରଫା ଭାବେ ୧୨-୨ ଗୋଲ୍ରେ ଛତିଶଗଡ଼କୁ ପରାସ୍ତକରି ତୃତୀୟ ସ୍ଥାନରେ ରହିଛି।
ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ତୀବ୍ର ଲଢ଼େଇ ଦେଖିବାକୁ ମିଳିଥିଲା। ମ୍ୟାଚ୍ର ପ୍ରଥମରୁ ଉଭୟ ଦଳ ଆକ୍ରାମଣାତ୍ମକ ଶୈଳୀ ଆପଣେଇଥିଲେ; କିନ୍ତୁ କେହି କାହାରିକୁ ଗୋଲ୍ ଦେଇପାରିନଥିବାରୁ ପ୍ରଥମ କ୍ବାର୍ଟର ଗୋଲ୍ଶୂନ୍ୟ ରହିଥିଲା। ତେବେ ଦ୍ବିତୀୟ କ୍ବାର୍ଟରରେ ହରିୟାଣା ବାଜି ମାରିନେଇଥିଲା। ମ୍ୟାଚ୍ର ୨୨ତମ ମିନିଟ୍ରେ ମଧ୍ୟପ୍ରଦେଶର ଗୁରମେଲ୍ କୌର ଏକ ଆର୍ଷଣୀୟ ଫିଲ୍ଡ ଗୋଲ୍ ଦେଇ ଦଳକୁ ୧-୦ ଗୋଲର ଅଗ୍ରଣୀ ଦେଇଥିଲେ। ଗୋଲ୍ ପରିଶୋଧ କରିବାକୁ ଝାଡ଼ଖଣ୍ଡ ଏକାଧିକ ପ୍ରୟାସ କରିଥିଲା; କିନ୍ତୁ ମଧ୍ୟପ୍ରଦେଶର ରକ୍ଷଣଭାଗ ଖେଳାଳି ସବୁ ପ୍ରୟାସକୁ ବିଫଳ କରିଦେଇଥିଲେ। ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍ ନହେବାରୁ ମଧ୍ୟପ୍ରଦେଶ ବିଜୟୀ ହୋଇଛି।
ଅପରପକ୍ଷରେ ହରିୟାଣା ଓ ଛତିଶଗଡ଼ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍ ସଂପୂର୍ଣ୍ଣ ଏକତରଫା ହୋଇଛି। ଏଥିରେ ହରିୟାଣା ୧୨-୨ ଗୋଲ୍ରେ ବିଜୟୀ ହୋଇଛି। ହରିୟାଣାର ସୁଖପ୍ରୀତ କୌକର ସର୍ବାଧିକ ୪ (୩, ୯, ୧୨, ୫୧ ମିନିଟ୍) ଗୋଲ୍ ଦେଇଥିବାବେଳେ କନିକା ସ୍ବିୱାଚ୍ ୩ (୮, ୨୨, ୩୪ ମିନିଟ୍), ସାଭୀ ୨ (୧୬, ୨୩ ମିନିଟ୍) ଗୋଲ୍ ସ୍କୋର କରିଥିଲା ବେଳେ ଭେତ୍ରୀ (୬ ମିନିଟ୍), ମନୀଷା (୧୫ ମିନିଟ୍) ଓ ସେଜଲ(୪୧ ମିନିଟ୍) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଛତିଶଗଡ଼ର ଗୀତା ଯାଦବ ଦୁଇଟି ଗୋଲ୍(୧୦, ୪୬ ମିନିଟ୍) ଶୁଝି ପାରିଥିଲେ।