ଜାତୀୟ କନିଷ୍ଠ ହକି ଶିବିରରେ ଓଡ଼ିଶାରୁ ୪

ନୂଆଦିଲ୍ଲୀ: ବେଙ୍ଗାଲୁରୁର ସାଇରେ ଚଳିତ ମାସ ୧୭ ତାରିଖରୁ ଭାରତୀୟ କନିଷ୍ଠ ହକି ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ପ୍ରଶିକ୍ଷକ ଜୁଡେ ଫେଲିକ୍ସଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଏହି ୧୭ ଦିନିଆ ଶିବିର ପାଇଁ ହକି ଇଣ୍ଡିଆ ରବିବାର ଏକ ୨୪ ଜଣିଆ ଦଳ ଘୋଷଣା କରିଛି। ମାଲେସିଆର ଜୋହର ବହରୁରେ ଅକ୍ଟୋବର ୬ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଆଗାମୀ ଅଷ୍ଟମ ସୁଲ୍‌ତାନ ଜୋହର୍‌ କପ୍‌କୁ ଦୃଷ୍ଟିରେ ରଖି ଏହି ଖେଳାଳିମାନେ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ ନେବେ। ତେବେ ଘୋଷିତ ୨୪ ଜଣିଆ ଖେଳାଳି ତାଲିକାରେ ଓଡ଼ିଶାର ୪ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଡିଫେଣ୍ଡର ସୁମନ ବେକ୍‌ ଓ ସିରିଲ୍‌ ଲୁଗୁନ୍‌, ମିଡ୍‌ଫିଲ୍‌ଡର ଗ୍ରେଗୋରି ଖେସ୍‌ ଏବଂ ଫରଓ୍ଵାର୍ଡ ଶିଳାନନ୍ଦ ଲାକ୍ରା। ଗତବର୍ଷ ସପ୍ତମ ସୁଲ୍‌ତାନ ଜୋହର୍‌ କପ୍‌ରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ୮ ଖେଳାଳିଙ୍କୁ ଶିବିରରେ ସ୍ଥାନ ମିଳିଛି। ଓଡ଼ିଆ ଖେଳାଳି ଶିଳାନନ୍ଦ ଓ ସୁମନ୍‌ ସେମାନଙ୍କ ମଧ୍ୟରୁ ଅନ୍ୟତମ। ତେବେ ଏଥର ଶିବିରରେ ଅଧିକାଂଶ ନୂଆ ମୁହଁକୁ ସୁଯୋଗ ମିଳିଛି। ଏହି ଶିବିରରୁ ହିଁ ସୁଲ୍‌ତାନ ଜୋହର୍‌ କପ୍‌ ପାଇଁ ଚୂଡାନ୍ତ ୧୮ ଜଣିଆ ଦଳ ଘୋଷିତ ହେବ।

ସମ୍ବନ୍ଧିତ ଖବର