ଭୁବନେଶ୍ବର: ଜଳନ୍ଧରରେ ଶେଷ ହୋଇଥିବା ୧୫ତମ ହକି ଇଣ୍ଡିଆ ଜାତୀୟ କନିଷ୍ଠ ପୁରୁଷ ହକି ପ୍ରତିଯୋଗିତା (ଡିଭିଜନ-ଏ)ରେ ଓଡ଼ିଶା ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛି। ଶନିବାର ସୁରଜିତ୍ ହକି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ହରିୟାଣା ବିପକ୍ଷ ଫାଇନାଲ୍‌ରେ ଶେଷ ମିନିଟ୍‌ରେ ଗୋଲ୍‌ ବରଣ କରି ଓଡ଼ିଶା ସ୍ବର୍ଣ୍ଣ ପଦକ ସୁଯୋଗ ହାତଛଡ଼ା କରିଛି। ପ୍ରଥମ କ୍ବାର୍ଟର ଗୋଲ୍‌ଶୂନ୍ୟ ବିତିବା ପରେ ଦ୍ବିତୀୟ କ୍ବାର୍ଟର ଆରମ୍ଭରୁ ଦୀପକ ପ୍ରଧାନ (୧୭ ମିନିଟ୍‌) ଓ ପ୍ରତାପ ଟୋପ୍ପୋ (୧୯ ମିନିଟ୍‌) ପେନାଲ୍ଟି କର୍ଣ୍ଣର ଜରିଆରେ ଦୁଇଟି ଲଗାତାର ଗୋଲ୍ ଦେଇ ଓଡ଼ିଶାକୁ ଆଗୁଆ କରିଥିଲେ।

Advertisment

ତୃ୍ତୀୟ କ୍ବାର୍ଟର ଗୋଲ୍‌ଶୂନ୍ୟ ରହିବାରୁ ଓଡ଼ିଶା ଶେଷ ୧୦ ମିନିଟ୍‌ ପର୍ଯ୍ୟନ୍ତ ୨-୦ରେ ଆଗୁଆ ଥିଲା। କିନ୍ତୁ ଏହି ପର୍ଯ୍ୟାୟରେ ଓଡ଼ିଶା ରକ୍ଷଣଭାଗକୁ ହରିୟାଣା ଖେଳାଳି ବାରମ୍ବାର ଭେଦ କରିବାରେ ସକ୍ଷମ ହୋଇଥିଲେ। ଫଳରେ ୫୦ ମିନିଟରେ ଚିରାଗ ଏବଂ ୫୧ ଓ ୬୦ ମିନିଟ୍‌ରେ ନୀତିନ ଗୋଲ୍‌ ଦେଇ ଓଡ଼ିଶା ହୃଦୟକୁ ଭାଙ୍ଗି ଦେଇଥିଲେ। ତୃତୀୟ ସ୍ଥାନ ପାଇଁ ହୋଇଥିବା ମୁକାବିଲାରେ ହକି ପଞ୍ଜାବ ସୁଟ୍‌ ଆଉଟ୍‌ରେ (୪-୩)ରେ ଜିତି କାଂସ୍ୟ ପଦକ ହାସଲ କରିନେଇଥିଲା। ନିୟମିତ ସମୟରେ ଏହି ମ୍ୟାଚ୍‌ ୩-୩ରେ ଶେ‌ଷ ହୋଇଥିଲା।