ଜାତୀୟ କନିଷ୍ଠ ଖୋ ଖୋ: ପବନି ଶ୍ରେଷ୍ଠ ଚେଜର୍‌: ଓଡ଼ିଶାକୁ ଯୁଗଳ କାଂସ୍ୟ

ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟଠାରେ ଆୟୋଜିତ ୪୦ତମ ଜାତୀୟ କନିଷ୍ଠ ଖୋ ଖୋ ପ୍ରତିଯୋଗିତାରେ ଓଡ଼ିଶା ବାଳକ ଏବଂ ବାଳିକା ଦଳ କାଂସ୍ୟ ପଦକ ଜିତିଛନ୍ତି। ଯୁଗଳ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଓଡ଼ିଶା ଖେଳାଳିମାନେ। ୨୦୧୯ ମସିହାରେ ଖେଳା ଯାଇଥିବା ଏହି ପ୍ରତିଯୋଗିତାର ଗତ ସଂସ୍କରଣରେ ଓଡ଼ିଶା ବାଳକ ତ୍ରୟୋଦଶ ଏବଂ ବାଳିକା ପଞ୍ଚମ ସ୍ଥାନରେ ରହିଥିଲେ। ଚଳିତବର୍ଷ କିନ୍ତୁ ଚମତ୍କାର ପ୍ରଦର୍ଶନ କରି ଉଭୟ ବର୍ଗର ଶ୍ରେଷ୍ଠ ତିନି ସ୍ଥାନରେ ଅଭିଯାନ ଶେଷ କରିଛନ୍ତି।

ତୀବ୍ର ସଂଘର୍ଷଭରା ଏହି ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଆୟୋଜକ ଓଡ଼ିଶାର ଉଭୟ ଦଳ ରବିବାର ଗତଥରର ବିଜେତା ତଥା ଶକ୍ତିଶାଳୀ ମହା‌ରାଷ୍ଟ୍ରକୁ ଭେଟିଥିଲେ। ହେଲେ ଦୁଇଟି ଯାକ ମ୍ୟାଚ୍‌ରେ ହାରି ତୃତୀୟ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ତା ସହ ମେଗାଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଥିଲେ। ବାଳିକା ଦଳ ଜୋରଦାର ଲଢ଼େଇ କରି ମହାରାଷ୍ଟ୍ରଠାରୁ ମାତ୍ର ଗୋଟିଏ ପଏଣ୍ଟ୍ (୧୦-୧୧) ବ୍ୟବଧାନରେ ପରାଜିତ ହୋଇଥିଲା। ବାଳକ ଦଳ ମଧ୍ୟ ଦୁର୍ଭାଗ୍ୟଜନକ ଭାବେ ସେହି ଗୋଟିଏ ପଏଣ୍ଟ୍‌ (୧୪-୧୫)ରେ ମ୍ୟାଚ୍ ହାରି ଯାଇଥିଲା। ପ୍ରଦର୍ଶନ ଭିତ୍ତିରେ ଓଡ଼ିଶା ବାଳକ ତୃତୀୟ ଏବଂ ପଶ୍ଚିମବଙ୍ଗ ଚତୁର୍ଥ ସ୍ଥାନରେ ରହିଥିଲା। ଅନ୍ୟପକ୍ଷରେ ବାଳିକାରେ ଓଡ଼ିଶା ତୃତୀୟ ଏବଂ କର୍ଣ୍ଣାଟକ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଅନ୍ୟ ଏକ ବାଳକ ସେମିଫାଇନାଲରେ ପଶ୍ଚିମବଙ୍ଗକୁ ହରାଇ ଦିଲ୍ଲୀ ଫାଇନାଲ୍‌ରେ ପ୍ରବେଶ କରିଥିଲା। ହେଲେ ମହାରାଷ୍ଟ୍ରଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲା ଦିଲ୍ଲୀ। ବାଳିକାରେ ମଧ୍ୟ ମହାରାଷ୍ଟ୍ର ବିଜେତା ହୋଇ ଯୁଗଳ ସ୍ବର୍ଣ୍ଣ ଜିତିବାର ଗୌରବ ଅର୍ଜନ କରିଥିଲା। ବାଳିକା ଫାଇନାଲ୍‌ରେ ଏହି ଦଳ କୋହ୍ଲାପୁରକୁ ପରାସ୍ତ କରିଥିଲା। ଏହା ପୂର୍ବରୁ ଅନୁଷ୍ଠିତ ଦ୍ବିତୀୟ ସେମିଫାଇନାଲ୍‌ରେ କର୍ଣ୍ଣାଟକକୁ ହରାଇ କୋହ୍ଲାପୁର ଫାଇନାଲ୍‌ରେ ପ୍ରବେଶ କରିଥିଲା।

ପ୍ରତିଯୋଗିତାର ଶ୍ରେଷ୍ଠ ବାଳକ ଚେଜ୍‌ର ଭାବେ ଓଡ଼ିଶାର ପବନି ସବର, ଦିଲ୍ଲୀର ରିତିକ ଶ୍ରେଷ୍ଠ ରକ୍ଷଣଭାଗ ଖେଳାଳି ଓ ଆଦିତ୍ୟ କୁଦାଲେ ଶ୍ରେଷ୍ଠ ଖେଳାଳି ଘୋଷିତ ହୋଇଥିଲେ। ବାଳିକାରେ ମହାରାଷ୍ଟ୍ରର ବୃଶାଳୀ ଭୋଇ ଶ୍ରେଷ୍ଠ ଚେଜର, କୋହ୍ଲାପୁରର ବୈଷ୍ଣବୀ ପାୱାର ଶ୍ରେଷ୍ଠ ରକ୍ଷଣଭାଗ ଖେଳାଳି, ମହାରାଷ୍ଟ୍ରର ଅଶ୍ବିନ ସିନ୍ଦେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ପ୍ରତିଯୋଗିତାରେ ୫୩ ଦଳ ଏବଂ ପାଖାପାଖି ୬୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ମୋଟ ୫,୨୦୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଜେତା ଦଳ ୩, ଉପବିଜେତା ୨ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳ ୧ ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ଲାଭ କରିଥିଲେ। ବ୍ୟକ୍ତିଗତ ପୁରସ୍କାର ବିଜେତାଙ୍କୁ ୨୦,୦୦୦ ଟଙ୍କା ଲେଖାଏଁ ମିଳିଥିଲା। ଫାଇନାଲ୍ ମ୍ୟାଚ୍‌ରେ ନାଲକୋର ଅଧ୍ୟକ୍ଷ ଶ୍ରୀଧର ପାତ୍ର ମୁଖ୍ୟ ଅତିଥି ଏବଂ କ୍ରୀଡ଼ା ସଚିବ ଆର ଭିନିଲକ୍ରିଷ୍ଣା, କିଟ୍ କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ଓ ଭାରତୀୟ ଖୋ ଖୋ ମହାସଂଘର ମହାସଚିବ ଏମଏସ୍ ତ୍ୟାଗୀ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର