ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟରେ ଚାଲିଥିବା ଜାତୀୟ କନିଷ୍ଠ ଖୋଖୋ ପ୍ରତିଯୋଗିତାରେ ଆୟୋଜକ ଓଡ଼ିଶା ଉଭୟ ବାଳକ ଏବଂ ବାଳିକା ବର୍ଗର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଦୁଇଟି ଯାକ ସେମିଫାଇନାଲ୍ରେ ଓଡ଼ିଶା ବାଳକ ଓ ବାଳିକା ଦଳ ଗତଥରର ବିଜେତା ମହାରାଷ୍ଟ୍ରକୁ ଭେଟିବେ। ଶନିବାର ଅନୁଷ୍ଠିତ ବାଳକ ବର୍ଗ କ୍ବାର୍ଟରଫାଇନାଲ୍ ମୁକାବିଲାରେ ଓଡ଼ିଶା ୧୧ ପଏଣ୍ଟ ବ୍ୟବଧାନରେ ତେଲେଙ୍ଗାନାକୁ ପରାସ୍ତ କରିଥିଲା। ସେହିଭଳି ବାଳିକା ଦଳ ବେଙ୍ଗଲକୁ ୮ ପଏଣ୍ଟରେ ହରାଇ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ବାଳକ ବର୍ଗର ଦ୍ବିତୀୟ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ରେ ମହାରାଷ୍ଟ୍ର ୨ ପଏଣ୍ଟରେ ଛତିଶଗଡ଼କୁ ହରାଇ ଦ୍ବିତୀୟ ଦଳ ଭାବେ ସେମିଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିନେଇଥିଲା।
ଅନ୍ୟ ଏକ କ୍ବାର୍ଟର ଫାଇନାଲ୍ରେ ଦିଲ୍ଲୀ ରୋମାଞ୍ଚକର ଭାବେ ମାତ୍ର ୧ ପଏଣ୍ଟ ବ୍ୟବଧାନରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଥିଲା। ପଶ୍ଚିମବଙ୍ଗ ଓ କୋହ୍ଲାପୁର ସମାନ ୧୮ ପଏଣ୍ଟ୍ ଲେଖାଏଁ ପାଇବା ପରେ ମିନିମମ୍ ଚେଜ୍ରେ ବିଜୟୀ ହୋଇ ପଶ୍ଚିମବଙ୍ଗ ଚତୁର୍ଥ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଥିଲା। ବାଳିକାରେ ମହାରାଷ୍ଟ୍ର, କର୍ଣ୍ଣାଟକ ଓ କୋହ୍ଲାପୁର ଯଥାକ୍ରମେ ତାମିଲନାଡୁ ( ୨ପଏଣ୍ଟ), କୋହ୍ଲାପୁର (୨ ପଏଣ୍ଟ), କର୍ଣ୍ଣାଟକ (୧ ପଏଣ୍ଟ)କୁ ପରାସ୍ତ କରି ସେମିଫାଇନାଲ୍ରେ ଓଡ଼ିଶା ସହ ଯୋଗ ଦେଇଥିଲେ। । ରବିବାର ମ୍ୟାଚ୍: ମହାରାଷ୍ଟ୍ର-ଓଡ଼ିଶା, ଦିଲ୍ଲୀ-ପଶ୍ଚିମବଙ୍ଗ ଏବଂ ବାଳିକାରେ ମହାରାଷ୍ଟ୍ର-ଓଡ଼ିଶା, କର୍ଣ୍ଣାଟକ-କୋହ୍ଲାପୁର ମୁକାବିଲା ହେବ।