ଭୁବନେଶ୍ବର: ରଗ୍‌ବି ଇଣ୍ଡିଆ, ଓଡ଼ିଶା ରଗ୍‌ବି ଫୁଟ୍‌ବଲ୍‌ ସଂଘ (ଓଆର୍‌ଏଫ୍‌ଏ), ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ କିଟ୍‌ ବିଶ୍ବବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଜାତୀୟ କନିଷ୍ଠ ରଗ୍‌ବି ସେଭେନ୍ସ ପ୍ରତିଯୋଗିତା ଅଜିଠାରୁ କିଟ୍‌ ରଗ୍‌ବି ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି। ଏହି ତିନି ଦିନିଆ ପ୍ରତିଯୋଗିତାରେ ୨୪ ବାଳକ ଓ ୨୧ ବାଳିକା ଦଳର ମୋଟ ୬୦୦ ପ୍ରତିଯୋଗୀ

Advertisment

ଅଂଶଗ୍ରହଣ କରିଛନ୍ତି।
ଶୁକ୍ରବ‌ାର ପ୍ରଥମ ଦିବସରେ ଓଡ଼ିଶା ବାଳକ ଓ ବାଳିକା ଦଳ ଚମତ୍କାର ଢଙ୍ଗରେ ଅଭିଯାନ ଆରମ୍ଭ କରିଛନ୍ତି। ଉଭୟ ବାଳକ ଓ ବାଳିକା ଦଳ ପୁଲ୍‌ ବିଜେତା ହୋଇ ପ୍ରିକ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଉଭୟ ଦଳ ଉଦ୍‌ଘାଟନୀ ଦିବସରେ ସେମାନଙ୍କ ସମସ୍ତ ମ୍ୟାଚ୍‌ ଜିତିଥିଲେ। ପୁଲ୍‌-ସି’ରେ ବାଳକ ଦଳ ଚଣ୍ଡିଗଡ଼ ଓ ମଧ୍ୟପ୍ରଦେଶକୁ ଏବଂ ପୁଲ୍‌-ଇ’ରେ ବାଳିକା ଦଳ ଛତିଶଗଡ଼ ଓ ପୁଡୁଚେରୀକୁ ପରାସ୍ତ କରି ପୁଲ୍‌ ବିଜେତା ହୋଇଥିଲେ।

ପ୍ରଥମ ଦିବସ ମ୍ୟାଚ୍‌ଗୁଡ଼ିକ ବେଳେ ଅଭିନେତା ତଥା ରଗ୍‌ବି ଇଣ୍ଡିଆ ସଦସ୍ୟ ରାହୁଲ ବୋଷ, ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ଅଧ୍ୟକ୍ଷ ତଥା ଓଡ଼ିଶା ରଗ୍‌ବି ଫୁଟ୍‌ବଲ ସଂଘର ସଭାପତି ପ୍ରିୟଦର୍ଶୀ ମିଶ୍ର, ଓଡ଼ିଶା ରଗ୍‌ବି ଫୁଟ୍‌ବଲ ସଂଘର ସଂପାଦକ ଉପେନ୍ଦ୍ର କୁମାର ମହାନ୍ତି ଉପସ୍ଥିତ ଥିଲେ।

ଏଭଳି ଏକ ଜାତୀୟ ପ୍ରତିଯୋଗିତା ଆୟୋଜନ ପାଇଁ ନିସର୍ତ୍ତ ସମର୍ଥନ ଯୋଗାଇ ଦେଇଥିବାରୁ ରଗ୍‌ବି ଇଣ୍ଡିଆ ଏବଂ ଓଆର୍‌ଏଫ୍‌ଏର ସମସ୍ତ ସଦସ୍ୟ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ପ୍ରଫେସର ଅଚ୍ୟୁତ ସମାନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟପକ୍ଷରେ ଉଭୟ ଓଡ଼ିଶା ବାଳକ ଓ ବାଳିକା ଦଳକୁ ସେମାନଙ୍କ ପ୍ରଶଂସନୀୟ ପ୍ରଦର୍ଶନ ପାଇଁ ପ୍ରଫେସର ସାମନ୍ତ ଅଭିନନ୍ଦନ ଜଣାଇବା ସହ ଆଗାମୀ ମ୍ୟାଚ୍‌ଗୁଡ଼ିକ ପାଇଁ ଶୁଭକାମନା ଜଣାଇଥିଲେ।