ଭୁବନେଶ୍ବର: ଭାରତୀୟ ରଗ୍ବି ଫୁଟ୍ବଲ୍ ୟୁନିୟନ୍ (ଆଇଆର୍ଏଫ୍ୟୁ), ଓଡ଼ିଶା ସରକାର, ସୋସାଇଟ ଜେନେରାଲ, କିଟ୍ ବିଶ୍ବବିଦ୍ୟାଳୟ ଓ ଓଡ଼ିଶା ରଗ୍ବି ଫୁଟ୍ବଲ୍ ସଂଘର ମିଳିତ ଆନୁକୂଲ୍ୟରେ ଜାତୀୟ କନିଷ୍ଠ ରଗ୍ବି ସେଭେନ୍ ପ୍ରତିଯୋଗିତା ଶୁକ୍ରବାରଠୁ ଆରମ୍ଭ ହେବ। ଏହି ୩ ଦିନିଆ ପ୍ରତିଯୋଗିତା କିଟ୍ ବିଶ୍ବବିଦ୍ୟାଳୟଠାରେ ରବିବାର ପର୍ଯ୍ୟନ୍ତ ଚାଲିବ। ଉଭୟ ବାଳକ ଓ ବାଳିକାରେ ୨୪ ରାଜ୍ୟ ଏବଂ ଆଇଆର୍ଏଫ୍ୟୁ ମାନ୍ୟତା ସଂଘ ଟ୍ରଫି ପାଇଁ ଲଢ଼େଇ କରିବେ।
ଭାଗନେଇଥିବା ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର, ଛତିଶଗଡ଼, ଗୋଆ, ଦିଲ୍ଲୀ, ମଧ୍ୟପ୍ରଦେଶ, ଜାମ୍ମୁ କଶ୍ମୀର, ଉତ୍ତରାଖଣ୍ଡ, ବିହାର, ଆସାମ, ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ଚଣ୍ଡିଗଡ଼, ଝାଡ଼ଖଣ୍ଡ, ଗୁଜରାଟ, ରାଜସ୍ଥାନ, ପୁଡ଼ୁଚେରୀ, ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ତେଲାଙ୍ଗାନା ଏବଂ ଆୟୋଜକ ଓଡ଼ିଶା। ବାଳକ ବର୍ଗରେ ଓଡ଼ିଶା ଗ୍ରୁପ୍-ସି’ରେ ମଧ୍ୟପ୍ରଦେଶ ଓ ଚଣ୍ଡିଗଡ଼ ସହ ରହିଛି। ବାଳିକାରେ ପୁଡ଼ୁଚେରୀ ଓ ଛତିଶଗଡ଼ ସହ ଓଡ଼ିଶା ଗ୍ରୁପ୍-ଇ’ରେ ରହିଛି।
ବାଳକରେ ମଧ୍ୟପ୍ରଦେଶ ଏବଂ ବାଳିକାରେ ପୁଡ଼ୁଚେରୀ ବିପକ୍ଷରେ ଲିଗ୍ ମ୍ୟାଚ୍ ଖେଳି ଓଡ଼ିଶା ଅଭିଯାନ ଆରମ୍ଭ କରିବ। ଏହି ପ୍ରତିଯୋଗିତାରେ ଖେଳାଳିଙ୍କ ପ୍ରଦର୍ଶନ ନେଇ ଆସନ୍ତାବର୍ଷ ହେବାକୁଥିବା ଏସୀୟ ରଗ୍ବି ଲାଗି ୧୮ ଓ ୨୦ ବର୍ଷରୁ କମ୍ ଭାରତୀୟ ଦଳ ବଛାଯିବ। ସୂଚନାଯୋଗ୍ୟ ଯେ ଚଳିତ ମାସ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଜାତୀୟ ବରିଷ୍ଠ ରଗ୍ବି ସେଭେନ୍ସ ପ୍ରତିଯୋଗିତା ଏହି କିଟ୍ ବିଶ୍ବବିଦ୍ୟାଳୟଠାରେ ଆୟୋଜିତ ହେବ।