ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ଶୁକ୍ରବାରଠୁ ଚଳଚଞ୍ଚଳ ରହିବ। ଶୁକ୍ରବାର ୪୦ତମ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହେବ। ଏହା ପରଦିନ (ଶନିବାର)ଠୁ ଏହି କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ଦୌଡ଼କୁଦ ଏଚ୍ପିସିଠାରେ ଖେଳାଯିବ ୨୮ତମ ଏସୀୟ ଟେବୁଲ ଟେନିସ୍ ଦଳଗତ ପ୍ରତିଯୋଗିତା। ଏହି ଦୁଇ ଜାତୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ଭୁବନେଶ୍ବରରେ ଆଥ୍ଲେଟ୍ଙ୍କ ଭିଡ଼ ଲାଗିଗଲାଣି। ଏହି ଦୁଇ ପ୍ରତିଯୋଗିତା ଖେଳାଳିଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି। କାରଣ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ମିଳିବ ଦକ୍ଷିଣ ଏସୀୟ ବରିଷ୍ଠ ପ୍ରତିଯୋଗିତାରେ ଖେଳିବାର ସୁଯୋଗ। ସେହିପରି ଏସୀୟ ଟିଟି ଦଳଗତ ପ୍ରତିଯୋଗିତାର ଦଳ ପାଇଁ ଏହା ଇଂଲଣ୍ଡରେ ଖେଳାଯିବାକୁ ଥିବା ବିଶ୍ବ ଟିଟି ପ୍ରତିଯୋଗିତା ଲାଗି ମାର୍ଗ ହେବ।
ଶୁକ୍ରବାରଠୁ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଉଭୟ ବାଳକ ଓ ବାଳିକାର ୪ଟି ବୟସ ବର୍ଗ ୧୪, ୧୬, ୧୮ ଓ ୨୦ ବର୍ଷରୁ କମ୍ ବର୍ଗରେ ଭାରତରୁ ୯୦୦ ବାଳିକା ଓ ୧୧୧୫ ବାଳକଙ୍କ ସହ ମୋଟ ୨୦୧୫ ଆଥ୍ଲେଟ୍ ନିଜର ପରାକ୍ରମ ଦେଖାଇବେ। ଏହି ୫ଦିନିଆ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଞ୍ଚିରେ ନଭେମ୍ବର ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଚତୁର୍ଥ ଦକ୍ଷିଣ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଖେଳିବାର ସୁଯୋଗ ପାଇବେ। ଯାହା ସେମାନଙ୍କୁ ଘରୋଇ ମାଟିରେ ବରିଷ୍ଠସ୍ତରରେ ଅଭିଜ୍ଞତା ହାସଲ କରିବାକୁ ବଡ଼ ସୁଯୋଗ ଦେବ ବୋଲି କହିଛନ୍ତି ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍ଆଇ) ମୁଖପାତ୍ର ଆଦିଲେ ସୁମରିୱାଲା। ତେଣୁ କଳିଙ୍ଗରେ ଦେଶର ଶୀର୍ଷସ୍ତରୀୟ କନିଷ୍ଠ ଆଥ୍ଲେଟ୍ମାନେ ନିଜର ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବେ।
ଏସୀୟ ଟିଟି ପୂର୍ବରୁ ଜାତୀୟ କନିଷ୍ଠ ଦୌଡ଼କୁଦ
ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ମିଳିବ ‘ସାଫ୍’ ସୁଯୋଗ
ଭାଗନେବେ ୯୫୦ ବାଳିକାଙ୍କ ସହ ୨,୦୦୦ରୁ ଊର୍ଦ୍ଧ୍ବ ଖେଳାଳି
ଓଡ଼ିଶାରୁ ୩୮ ପୁଅ, ୩୭ ଝିଅ
ଏହି ପ୍ରତିଯୋଗିତାରେ ମଧ୍ୟ ଓଡ଼ିଶାର ୭୫ (୩୮ ପୁଅ ଓ ୩୭ ଝିଅ) ପ୍ରତିଯୋଗୀ ନିଜ ଘରୋଇ ପଡ଼ିଆରେ କମାଲ କରିବା ଆଶାରେ ରହିଛନ୍ତି। ଓଡ଼ିଶାର ଉଦୀୟମାନ ଆଥ୍ଲେଟ୍ ଓଁକାର ନନ୍ଦ, ଅଙ୍କିତା ମହାପାତ୍ର ଥ୍ରୋ ଇାଭେଣ୍ଟ୍ରେ ଭାଗନେବାକୁ ଥିଲା ବେଳେ ପ୍ରତୀକ ମହାରାଣା ୧୦୦ ଓ ୨୦୦ ମିଟର ଦୌଡ଼ ଏବଂ ବାପି ହାଁସ୍ଦା ୧୦୦, ୨୦୦ ମିଟର ଦୌଡ଼ ସହ ୪ଗୁଣା୧୦୦ ମିଟର ରିଲେରେ ପ୍ରତିଦ୍ବନ୍ଦ୍ବିତା କରିବେ। ସର୍ବାଧିକ ୧୪୭ ଜଣ ଖେଳାଳି ହରିୟାଣାରୁ ଅଂଶଗ୍ରହଣ କରିବେ ବୋଲି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି।
ପ୍ରତିଯୋଗିତାରେ ବୟସ ଓ ଆଣ୍ଟିଡୋପିଂକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି କହିଛନ୍ତି ସୁମରିୱାଲା। ପ୍ରତିଯୋଗିତାର ପ୍ରଥମ ଦିନରେ ୧୪ଟି ଫାଇନାଲ୍ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ୨୦ ବର୍ଷରୁ କମ୍ ବାଳିକା ୫୦୦୦ ମିଟର ପ୍ରତିଯୋଗିତାର ପ୍ରଥମ ପଦକ ଇଭେଣ୍ଟ୍ ହେବ। ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ସଚିବ ସଚିନ ରାମଚନ୍ଦ୍ର ଯାଦବ ଏବଂ ନିର୍ଦେଶକ ଡ. ୟେଦୁଲା ବିଜୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଗତବର୍ଷ ଏହି ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମ୍ରେ ଡିସେମ୍ବର ମାସରେ ଅନୁଷ୍ଠିତ ହୋଇଥିଲା।