ଭୁବନେଶ୍ବର: ଅହମଦାବାଦରେ ଆୟୋଜିତ ୫୧ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାର ଯୁବ ସନ୍ତରଣକାରୀ ସାଇ ସ୍ବରୂପ ସ୍ବାଇଁ ଚମତ୍କାର ପ୍ରଦର୍ଶନ କରି ୩ (୨ ସ୍ବର୍ଣ୍ଣ, ୧ କାଂସ୍ୟ) ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଓଡ଼ିଶାର ପ୍ରଥମ ପୁରୁଷ ସନ୍ତରଣକାରୀ ଭାବେ ବୁଧବାର ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିବାର ଗୌରବ ଅର୍ଜନ କରିଥିବା ଏହି ବିସ୍ମୟ ବାଳକ ଗୁରୁବାର ଶେଷ ଦିନରେ ଆଉ ଗୋଟିଏ ସ୍ବର୍ଣ୍ଣ ପାଇଛନ୍ତି। ପୂର୍ବରୁ ୨୦୦ ମିଟର (୨:୩୧.୫୦) ବ୍ରେଷ୍ଟ୍‌ଷ୍ଟ୍ରୋକ୍‌ରେ ସ୍ବର୍ଣ୍ଣ ଏବଂ ୫୦ ମିଟର (୩୨.୯୫‌) ବ୍ରେଷ୍ଟ୍‌ଷ୍ଟ୍ରୋକ୍‌ରେ କାଂସ୍ୟ ଜିତିଥିବା ସାଇସ୍ବରୂପ ଗୁରୁବାର ‌ବାଳକ ୧୦୦ ମିଟର ବ୍ରେଷ୍ଟ୍‌ଷ୍ଟ୍ରୋକ୍‌-୨ରେ ସ୍ବର୍ଣ୍ଣ ଜିତିଛନ୍ତି। ଫାଇନାଲ୍‌ ରେସ୍‌କୁ ସେ ୧ ମିନିଟ୍‌ ୧୦.୬୧ ସେକେଣ୍ଡ୍‌ରେ ଶେଷ କରି ଏହି ପଦକ ପାଇଥିଲେ। 

Advertisment

କର୍ଣ୍ଣାଟକର ରିୟାଂଶ କାଣ୍ଠି (୧:୧୨.୦୧) ଏବଂ କେରଳର ଅଭିଜିତ ପି (୧:୧୩.୮୦) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ଜିତିଥିଲେ। ସାଇସ୍ବରୂପଙ୍କ ଏହି ୩ ପଦକ ବଳରେ ଓଡ଼ିଶା ଅଷ୍ଟମ ସ୍ଥାନରେ ଅଭିଯାନ ଶେଷ କରିଛି। ଓଡ଼ିଶା କ୍ରୀଡ଼ା ଇତିହାସରେ ଦ୍ବିତୀୟ ପୁରୁଷ ଭାବେ ସାଇ ସ୍ବରୂପ ସନ୍ତରଣରୁ ଜାତୀୟ ପଦକ ଜିତିଛନ୍ତି। ପ୍ରଥମ ଓ ଶେଷ ପଦକଟି ୧୯୯୦ରେ ରଙ୍କନିଧି ସେଠ କାଂସ୍ୟ ପଦକ ଜିତିଥିଲେ। ଜେଏସ୍‌ଡବ୍‌ଲ୍ୟୁର ଇନ୍‌ସ୍ପାୟାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସ୍ପୋର୍ଟସରେ ୟୁର୍ବେଶ ଦୁବେ ଏବଂ ଡଗଲାସ୍‌ ଇଗରଙ୍କଠାରୁ ପ୍ରଶିକ୍ଷଣ ନେଇ ସାଇ ସାଇ ସ୍ବରୂପ ଏତେ ସଫଳତା ପାଇଥିବାରୁ ତାଙ୍କୁ ଉଭୟ ଅଭିନନ୍ଦନ ଜଣାଇଛନ୍ତି।