ଜାତୀୟ କନିଷ୍ଠ ସନ୍ତରଣ ଆରମ୍ଭ: ବ୍ରେଷ୍ଟଷ୍ଟ୍ରୋକ୍‌ରେ ମନ୍ନତା ଚତୁର୍ଥ

ଭୁବନେଶ୍ବର: ୪୮ତମ କନିଷ୍ଠ ଜାତୀୟ ସନ୍ତରଣ ପ୍ରତିଯୋଗିତା ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣଗାରାଠାରେ ଆଜିଠାରୁ ଆରମ୍ଭ ହୋଇଛି। ଏହି ୫ ଦିନିଆ ପ୍ରତିଯୋଗିତାକୁ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ କ୍ରୀଡ଼ା ଓ ଯୁବ ସେବା ବିଭାଗ କମିସନର ତଥା ଶାସନ ସଚିବ ଆର୍‌ ଭିନିଲ କ୍ରିଷ୍ଣା, ଗ୍ଲେନ୍‌ମାର୍କର ସିଏମ୍‌ଡି ଗ୍ଲେନ୍‌ ସାଲଡାନା, ଏସ୍‌ଏଫ୍‌ଆଇ ସଭାପତି ଆର୍‌ଏନ୍‌ ଜୟପ୍ରକାଶ ଏବଂ ମହାସଚିବ ମୋନାଲ ଚୋକ୍ସି, ଓଡ଼ିଶା ରାଜ୍ୟ ସନ୍ତରଣ ସଂଘର କାର୍ଯ୍ୟକାରୀ ସଭାନେତ୍ରୀ ସୋମା ମିଶ୍ର ଓ ସାଧାରଣ ସଂପାଦିକା ଗୋଲାପମଣୀ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମ ଦିବସରେ ଉଭୟ ୧୨-୧୪ ଓ ୧୫-୧୭ ବୟସ ବର୍ଗ ବାଳକ ଓ ବାଳିକା ବର୍ଗରେ ୨୦୦ ମିଟର ଫ୍ରିଷ୍ଟାଇଲ, ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌, ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଏଥିରେ ବାଳିକା ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ ଇଭେଣ୍ଟ (୧୫ରୁ ୧୭ ବର୍ଷ)ରେ ଓଡ଼ିଶାର ମନ୍ନତା ମିଶ୍ର (୧:୧୮.୮୯ ସେକେଣ୍ଡ, ୫୪୫ ପଏଣ୍ଟ) ଚତୁର୍ଥ ସ୍ଥାନ ପାଇଥିଲେ। ଏହି ବର୍ଗରେ ଅପେକ୍ଷା ଫର୍ଣ୍ଣାଡେସ୍‌ (୧:୧୨.୮୩ ସେକେଣ୍ଡ, ୬୮୨ ପଏଣ୍ଟ) ଜାତୀୟ ମିଟ୍‌ ରେକର୍ଡ ସହ ପ୍ରଥମ ସ୍ଥାନ ପାଇଥିଲେ। ଅନ୍ୟପକ୍ଷରେ ଏହି ଇଭେଣ୍ଟର ୧୨ରୁ ୧୪ ବର୍ଷ ବାଳିକା ବର୍ଗରେ କର୍ଣ୍ଣାଟକର ମାନବୀ ବର୍ମା (୧:୧୬.୮୨) ପ୍ରଥମ ସ୍ଥାନ ପାଇଥିଲେ।

ବାଳକ ୧୦୦ ମିଟର ବ୍ୟାକ୍‌‌ଷ୍ଟ୍ରୋକ୍‌ (୧୫-୧୭ ବର୍ଷ)ରେ କର୍ଣ୍ଣାଟକର ଉତ୍କର୍ଷ ସନ୍ତୋଷ ପତି (୫୭.୭୮ ସେକେଣ୍ଡ, ୭୨୨ ପଏଣ୍ଟ), ୧୨ରୁ ୧୪ ବର୍ଷରେ ତେଲେଙ୍ଗାନାର ସୁହାସ ପ୍ରିତମ୍‌ (୧:୦୧.୭୧ ସେକେଣ୍ଡ, ୬୦୫ ପଏଣ୍ଟ), ବାଳିକା ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ (୧୫-୧୭ ବର୍ଷ)ରେ କର୍ଣ୍ଣାଟକର ରିଦ୍ଧିମା ବୀରେନ୍ଦ୍ର କୁମାର (୧:୦୪,୯୬ ସେକେଣ୍ଡ, ୬୯୧ ପଏଣ୍ଟ, ଜାତୀୟ ମିଟ୍‌ ରେକର୍ଡ), ୧୨ରୁ ୧୪ ବର୍ଷରେ ତେଲେଙ୍ଗାନାର ଶ୍ରୀନିତ୍ୟ ସାଗି (୧:୦୯.୪୬ ସେକେଣ୍ଡ, ୫୬୫ ପଏଣ୍ଟ), ବାଳକ ୨୦୦ ମିଟର ଫ୍ରିଷ୍ଟାଇଲ (୧୫-୧୭ ବର୍ଷ)ରେ ଗୁଜରାଟର ଦେବାଂଶ ପର୍ମର (୧:୫୩.୯୦, ୭୧୮ ପଏଣ୍ଟ), ୧୨-୧୪ ବର୍ଷରେ ଆନ୍ଧ୍ର ପ୍ରଦେଶର ମୋନ୍‌ଗାମ୍‌ ତୀର୍ଦ୍ଧୁ ସମଦେବ (୨:୦୩.୩୯, ୫୬୪ ପଏଣ୍ଟ), ବାଳିକା ୨୦୦ ମିଟର ଫ୍ରିଷ୍ଟାଇଲ (୧୫-୧୭ ବର୍ଷ)ରେ ମହାରାଷ୍ଟ୍ରର ଆନ୍ୟା ୱାଲା (୨:୦୮.୯୧, ୬୭୩ ପଏଣ୍ଟ), ୧୨-୧୪ ବର୍ଷରେ କର୍ଣ୍ଣାଟକର ହାଶିକା ରାମଚନ୍ଦ୍ର (୨:୦୫.୬୫, ୭୨୬ ପଏଣ୍ଟ, ଜାତୀୟ ମିଟ୍‌ ରେକର୍ଡ), ବାଳକ ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ (୧୫-୧୭ ବର୍ଷ)ରେ ତାମିଲନାଡୁର ଜସୁଆ ଥୋମାସ (୧:୦୬.୮୨, ୬୧୬ ପଏଣ୍ଟ) ଏବଂ ୧୨-୧୪ ବର୍ଷରେ କର୍ଣ୍ଣାଟକର ଆର୍‌ ନବନୀତ ଗୌଡ଼ା (୧:୧୨.୧୪, ୪୯୦ ପଏଣ୍ଟ) ଯଥାକ୍ରମେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ସମ୍ବନ୍ଧିତ ଖବର