ଜାତୀୟ ଉପକନିଷ୍ଠ ଭଲିବଲ୍‌ ଉଦ୍‌ଘାଟିତ: ଓଡ଼ିଶା ୩-୧ରେ ପଶ୍ଚିମବଙ୍ଗକୁ ହରାଇଲା

ଭୁବନେଶ୍ବର: ଓଡ଼ିଶା ଭଲିବଲ୍‌ ସଂଘ (ଓଭିଏ) ଓ କିଟ୍‌ ବିଶ୍ବବିଦ୍ୟାଳୟର ମିଳିତ ସହଯୋଗ ଏବଂ ଭାରତୀୟ ଭଲିବଲ୍‌ ମହାସଂଘ (ଭିଏଫ୍ଆ‌ଇ) ଆନୁକୂଲ୍ୟରେ ଶନିବାରଠୁ କିଟ୍‌ ଭଲିବଲ୍‌ ଷ୍ଟାଡିୟମରେ ୪୧ତମ ଜାତୀୟ ଉପକନିଷ୍ଠ ଭଲିବଲ୍ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ୨୮ ତାରିଖ ପର୍ଯ୍ୟନ୍ତ ‌ଚାଲିବାକୁଥିବା ଏହି ପ୍ରତିଯୋଗିତାରେ ୨୫ ବାଳକ ଓ ୨୨ ବାଳିକା ଦଳରୁ ପ୍ରାୟ ୭୦୦ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଶନିବାର କିଟ୍‌ ସମ୍ମିଳନୀ କକ୍ଷରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ସଚିବ ବିଶାଲ ଦେବ ଯୋଗଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥ‌ା ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ, ଭିଏଫ୍ଆ‌ଇ ଉପସଭାପତି ଆନନ୍ଦ ରାଜହଂସ, କୋଷାଧ୍ୟକ୍ଷ ଶେଖର ବୋଷ, ଓଭିଏର କାର୍ଯ୍ୟକାରୀ ସଭାପତି ସଂଜୟ କୁମାର ଦାସ, ସମ୍ପାଦକ ଗଗନେନ୍ଦୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୫୦ ବର୍ଷରୁ ଅଧିକ ବୟସର ଜାତୀୟ ଓ ଆନ୍ତର୍ଜାତିକ ଖେଳାଳିଙ୍କ ସମେତ ଭିଏଫ୍‌ଆଇ କାର୍ଯ୍ୟକର୍ତା ସମ୍ବର୍ଧିତ ହୋଇଥିଲେ। ପ୍ରଥମ ଦିନରେ ଖେଳା ଯାଇଥିବା ମ୍ୟାଚ୍‌ଗୁଡ଼ିକରେ ଜମ୍ମୁ କଶ୍ମୀର, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, କେରଳ, ଓଡ଼ିଶା, ଆସାମ, ହରିଆଣା, ପଞ୍ଜାବ, ଗୁଜରାଟ, ଦିଲ୍ଲୀ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡ ବିଜୟୀ ହୋଇଥିଲେ। ଓଡ଼ିଶା ପଡ଼ୋଶୀ ପଶ୍ଚିମବଙ୍ଗକୁ ଏକତରଫା ଭାବେ ୩-୧ରେ ହରାଇ ଆତ୍ମବିଶ୍ବାସର ସହ ତା’ର ଅଭିଯାନ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର