ଆଜିଠୁ ଜାତୀୟ କନିଷ୍ଠ ଜଳକ୍ରୀଡ଼ା ପ୍ରତିଯୋଗିତା: ଭାଗନେବେ ୮୫୩ ପ୍ରତିଯୋଗୀ

ଭୁବନେଶ୍ବର: ସମ୍ମାନଜନକ ୪୮ତମ କନିଷ୍ଠ ଜାତୀୟ ସନ୍ତରଣ ପ୍ରତିଯୋଗିତା ଶନିବାରଠୁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଆରମ୍ଭ ହେବ। ୫ ଦିନିଆ ଏହି ପ୍ରତିଯୋଗିତାରେ ୩୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ ୮୫୩ ପ୍ରତିଯୋଗୀ ଭାଗ ନେଉଛନ୍ତି। ସେମାନଙ୍କ ମଧ୍ୟରେ ସନ୍ତରଣରେ ୨୫୪ ମହିଳାଙ୍କ ସହ ମୋଟ ୫୨୮ ଜଣ ରହିଥିଲା ବେଳେ ୱାଟରପୋଲୋରେ ୧୦୫ ମହିଳାଙ୍କୁ ମିଶାଇ ମୋଟ ୩୨୫ ପ୍ରତିଯୋଗୀ ସାମିଲ ହୋଇଛନ୍ତି। ପ୍ରତିଯୋଗିତା ନିମନ୍ତେ ୭୫ ଜଣ ବୈଷୟିକ ଅଧିକାରୀ ଏବଂ ୫୦ ଜଣ ସହାୟକ କର୍ମଚାରୀ ରହିଛନ୍ତି।

ଓଡିଶାରୁ ୧୨ ବାଳକ ଓ ୮ ବାଳିକା ସମେତ ମୋଟ ୨୦ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ସମସ୍ତ ପ୍ରତିଯୋଗୀ ଶୁକ୍ରବାର ସୁଦ୍ଧା ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି। ଏହି ପ୍ରତିଯୋଗିତାରୁ ଆଗାମୀ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଲାଗି ଖେଳାଳି ଚୟନ କରାଯିବ। ଏଥିସହ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ସନ୍ତରଣକାରୀଙ୍କୁ ପ୍ରସ୍ତୁତ କରିବାକୁ ଭାରତୀୟ ସନ୍ତରଣ ମହାସଂଘ (ଏସ୍‌ଏଫ୍‌ଆଇ)ର ଏହା ଏକ ଦୀର୍ଘକାଳୀନ ଜାତୀୟ କାର୍ଯ୍ୟକ୍ରମ ହେବ। ଆସନ୍ତାକାଲି ପୂର୍ବାହ୍ନରୁ ପ୍ରତିଯୋଗିତା ଆରମ୍ଭ ହେବାକୁ ଥିବାବେଳେ ଅପରାହ୍ନରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ କଳାହାଣ୍ଡିରୁ ଆସିଥିବା କଳାକାରଙ୍କ ଦ୍ୱାରା ଘୁମୁରା ନୃତ୍ୟ ପରିବେଷଣ କରାଯିବ I

ସମ୍ବନ୍ଧିତ ଖବର