ରସୁଲପୁର: ଯାଜପୁର କବାଡ଼ି ସଂଘ ପକ୍ଷରୁ ଖଣ୍ତିତରଠାରେ ଚାଲିଥିବା ୬୮ତମ ସର୍ବଭାରତୀୟ ଦିବାରାତ୍ର କବାଡ଼ି ପ୍ରତିଯୋଗିତାର ପୁରୁଷ ବିଭାଗରେ ଜଗତସିଂହପୁର ଓ ମହିଳାରେ ପଶ୍ଚିମବଙ୍ଗର ଚନ୍ଦନନଗର ବିଜେତା ହୋଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ଫାଇନାଲ୍ରେ ଜଗତସିଂହପୁର ୪୬ -୪୦ ପଏଣ୍ଟରେ ୟୁପିର ବୁଲନ୍ଦସରକୁ ହରାଇ ବିଜେତା ହୋଇଥିଲା। ଜଗତସିଂହପୁରର ସାୱନ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମହିଳା ବିଭାଗରେ ପଶ୍ଚିମବଙ୍ଗର ଚନ୍ଦନନଗର ୪୮ -୨୨ ପଏଣ୍ଟରେ କିଟ୍କୁ ହରାଇଥିଲା।
ଉଦ୍ଯାପନୀ କାର୍ଯ୍ୟକ୍ରମରେ ପୁରୁଷ ବିଭାଗ ବିଜେତା ଦଳକୁ ଟ୍ରଫି ସହ ୧ ଲକ୍ଷ ଟଙ୍କା ଓ ଉପବିଜେତା ଦଳକୁ ୬୦ ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା। ସେହିପରି ମହିଳା ବିଜେତା ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ଓ ଉପବିଜେତା ଦଳକୁ ୧୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଉଭୟ ଦଳକୁ ପୁରସ୍କାର ଓ ଅର୍ଥରାଶି ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ସମ୍ମାନିତ ଅତିଥି ଭାବରେ ଓଡିଶା କବାଡ଼ି ସଂଘ ସଭାପତି ଶରତ କୁମାର ସାହୁ, ସାଧାରଣ ସମ୍ପାଦକ ଅଜୟ କୁମାର ବେହେରା, ରାମକୋ ସିମେଣ୍ଟ ଉପସଭାପତି ଅଜିତ କୁମାର ପାଲ୍, ନେରୋଲାକ୍ ପେଣ୍ଟସ୍ର ଆଞ୍ଚଳିକ ବିକ୍ରୟ ପ୍ରବନ୍ଧକ ସଞ୍ଜିତ୍ କୁମାର ମହାନ୍ତି, ରସୁଲପୁର ବ୍ଲକ୍ ଅଧ୍ୟକ୍ଷ ଅରୁଣ କୁମାର ରାଉତ, ରସୁଲପୁର ସରପଞ୍ଚ ସୁରେନ୍ଦ୍ର ତିଆଡ଼ି ଯୋଗ ଦେଇଥିଲେ। ପୁରସ୍କାର ବିତରଣ ସଭାରେ ଜେକେଏ କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସେଠୀ ଅଧ୍ୟକ୍ଷତାରେ ସମ୍ପାଦକ ରବୀନ୍ଦ୍ର କୁମାର ପୃଷ୍ଟି ବିବରଣୀ ପାଠ କରିଥିଲା ବେଳେ ସହ ସମ୍ପାଦକ ସହରେନ୍ଦ୍ର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ।