ଭୁବନେଶ୍ବର: ହାଇଦ୍ରାବାଦରେ ଆୟୋଜିତ ଜାତୀୟ ବରିଷ୍ଠ ଓ ୨୧ବର୍ଷରୁ କମ୍‌ କରାଟେ ପ୍ରତିଯୋଗିତାରେ ଓଡ଼ିଶାର କରାଟେକାମାନେ ବିଭିନ୍ନ ବିଭାଗରେ ୩ ରୌପ୍ୟ ଓ ୫ କାଂସ୍ୟ ସହ ମୋଟ ୮ ପଦକ ପାଇଛନ୍ତି। ମହିଳା ବ୍ୟକ୍ତିଗତ କାଟାରେ ଭାଲିନା ଭାଲେଣ୍ଟିନା, ୨୧ ବର୍ଷରୁ କମ୍‌ ପୁରୁଷ ୫୦ କିଲୋରୁ କମ୍‌ ଫାଇଟିଙ୍ଗ୍‌ରେ ତ୍ରିଲୋଚନ ରାଣା, ବ୍ୟକ୍ତିଗତ କାଟାରେ ବେଦାନ୍ତ ଦାସ ରୌପ୍ୟ ପଦକ ପାଇଛନ୍ତି। କାଂସ୍ୟ ପଦକଗୁଡ଼ିକ  ରିତେଶ ରାୟ (୮୪ କିଲୋରୁ ଅଧିକ ଫାଇଟିଙ୍ଗ), ସୁମନ ଶେଖର ଦାସ (୮୪ କିଲୋରୁ କମ୍‌ ଫାଇଟିଙ୍ଗ), ତ୍ରିଲୋଚନ ରାଣା (୫୦ କିଲୋରୁ କମ୍‌ ଫାଇଟିଙ୍ଗ), ୨୧ ବର୍ଷରୁ କମ୍‌ ମହିଳା ବ୍ୟକ୍ତିଗତ କାଟାରେ ସୁରୋମିତା ସିହ୍ନା ଏବଂ ଭାଲେନା ଭାଲେଣ୍ଟିନା, ସୁରୋମିତା, ସୁପ୍ରିୟା ମହାନ୍ତି, ପ୍ରିୟଦର୍ଶିନୀ ଦାସଙ୍କୁ ନେଇ ଗଠିତ ମହିଳା କାଟା ଦଳ ଜିତିଥିଲେ। ଏହି ପ୍ରତିଯୋଗିତାରେ ପ୍ରଶିକ୍ଷକ ଓ ଅଫିସିଆଲ୍‌ ଭାବେ ଖାରବେଳ ମଲ୍ଲିକ, ଦୀପକ ସାମନ୍ତରା, ଅରବିନ୍ଦ ପଟ୍ଟନାୟକ, ରାଜୀବ ସିଂହ, ସନ୍ତୋଷ ମହାରଣା ଯୋଗ ଦେଇଥିବା ବେଳେ ଅବିନାଶ ପୁନ୍ଦିର ଦଳର ପ୍ରବନ୍ଧକଥିଲେ। 

Advertisment

ପଦକ ବିଜେତାମାନଙ୍କୁ ଓଡ଼ିଶା ରାଜ୍ୟ କରାଟେ ସଂଘର ସମ୍ପାଦକ ଗୌରି ମହାନ୍ତି, ସଭାପତି ହରିପ୍ରସାଦ ପଟ୍ଟନାୟକ ଏବଂ କର୍ମକର୍ତ୍ତା ସଞ୍ଜୟ ଦାସ, କାଳି ପ୍ରସାଦ ନନ୍ଦ, ସନତ ନାୟକ, ପ୍ରଦୀପ କୁମାର ସରକାର, ମୀରଅଜମତ ଅଲୀ ଓ ହିମାଂଶୁ ଶେଖର ଦାସ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଦଳକୁ ଆର୍ଥିକ ସହାୟତା ଯୋଗାଇଥିବାରୁ ରାଜ୍ୟ କ୍ରୀଡ଼‌ା ଓ ଯୁବସେବା ବିଭାଗକୁ ଓଡ଼ିଶା ରାଜ୍ୟ କରାଟେ ସଂଘ ଧନ୍ୟବାଦ ଅର୍ପଣ କରିଛି।