ଭୁବନେଶ୍ବର: ଉତ୍ତରାଖଣ୍ଡରେ ଚାଲିଥିବା ଜାତୀୟ ଉପକନିଷ୍ଠ, ଯୁବ ଓ କନିଷ୍ଠ କରାଟେ ପ୍ରତିଯୋଗିତାରେ ଦିତୀୟ ଦିବସ ଶେଷ ସୁଦ୍ଧା ଓଡ଼ିଶା ଖେଳାଳି ୨ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ଏବଂ ୫ କାଂସ୍ୟ ସହ ୯ ପଦକ କରାୟତ୍ତ କରିଛନ୍ତି। ଓଡ଼ିଶାର ଅଂଶୁମାନ ଆଚାର୍ଯ୍ୟ ଯୁବ ୭୦ କେଜି ଫାଇଟିଂରେ ଏବଂ ଦିବ୍ୟ ପ୍ରସାଦ ନାୟକ କନିଷ୍ଠ ୭୬ କେଜିରୁ ଅଧିକ ଫାଇଟିଂରେ ସ୍ୱର୍ଣ ପଦକ ଜିତିଛନ୍ତି।
ଗତ ଯୁବ ଏସିଆ ବାଳିକା କାଟାରେ କାଂସ୍ୟ ପଦକ ଜିତିଥିବା ଆଲିଶା ସୁବୁଦ୍ଧି, ଯୁବ ବାଳକ ୫୨ କେଜି ଫାଇଟିଂରେ ଓମ୍ ସତ୍ୟମ ମହାନ୍ତି ରୌପ୍ୟ ଜିତିଥିଲେ। ୬୧ କେଜି ବାଳିକା ଫାଇଟିଙ୍ଗ୍ରେ ତପସ୍ୱିନୀ ନାୟକ, କନିଷ୍ଠ ବାଳିକା କାଟାରେ ସୁପ୍ରିୟା ମହାନ୍ତି, କନିଷ୍ଠ ବାଳକ ୬୮ କେଜି ଫାଇଟିଂରେ ଆର୍ଯ୍ୟବ୍ରତ ବିଶ୍ୱାଳ, କନିଷ୍ଠ ବାଳକ କାଟା ଦଳ (ଶୁଭମ ଦାଶ , ଦୋଳଗୋବିନ୍ଦ ବେହେରା, ରିତେଶ ପାତ୍ର, ଅଂଶୁମାନ ମିଶ୍ର), ବାଳିକା ଦଳ (ଆଲିଶା ସୁବୁଦ୍ଧି, ସୁପ୍ରିୟା ମହାନ୍ତି, ତମନା ମେହେର, ସ୍ବେତାଞ୍ଜନା ସାହୁ) କାଂସ୍ୟ ପଦକ ପାଇଛନ୍ତି। ଏହି ସଫଳତା ଲାଗି ପଦକ ବିଜେତାଙ୍କୁ ଓଡ଼ିଶା ରାଜ୍ୟ କରାଟେ ସଂଘ ଅଭିନନ୍ଦନ ଜଣାଇଛି।