ଭୁବନେଶ୍ବର: କରାଟେ ଇଣ୍ଡିଆ ଅର୍ଗାନାଇଜେସନ (କେଆଇଓ) ଆନୁକୁଲ୍ୟରେ ଆଗାମୀ ସମସ୍ତ ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତା ନିମନ୍ତେ ଏକ ଜାତୀୟ କରାଟେ ପ୍ରଶିକ୍ଷଣ ଶିବିର ଭୁବନେଶ୍ବର ସ୍ଥିତ ଉତ୍କଳ କରାଟେ ସ୍କୁଲଠାରେ ଉଦଘାଟିତ ହୋଇଅଛି। ଜାତୀୟ ବିଜେତା କରାଟେକାମାନଙ୍କୁ ଏହି ଶିବିରରେ ଆନ୍ତର୍ଜାତୀୟ ପ୍ରଶିକ୍ଷକ ତଥା ଦୁଇଥର ବିଶ୍ୱ ଓ ଏସିଆଡ୍‌ ବିଜେତା କରାଟେକ ସେନସେଇ ଅମିର ମେହେଦୀ ଜାଦେ ପ୍ରଶିକ୍ଷଣ ଦେଉଛନ୍ତି। ଖେଳାଳିଙ୍କ ଦକ୍ଷତା ପ୍ରତିପାଦନ କରିବା ନିମନ୍ତେ ବିଦେଶୀ ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରଶିକ୍ଷଣ ଶିବିର ଆୟୋଜନ କରିବା ଉପରେ କରାଟେ ଇଣ୍ଡିଆ ଅର୍ଗାନାଇଜେସନ (କେଆଇଓ)ର ସଭାପତି ହାନସି ଭରତ ଶର୍ମା ଗୁରୁତ୍ୱ ପ୍ରଦାନ କରିଆସୁଛନ୍ତି।

Advertisment

ଉତ୍କଳ କରାଟେ ସ୍କୁଲ ଠାରେ ପ୍ରଶିକ୍ଷଣ ନିମନ୍ତେ ସମସ୍ତ ଆନ୍ତର୍ଜାତୀୟ ସ୍ତରର ସୁବିଧା ସୁଯୋଗ ଥିବାରୁ ଏହି ଜାତୀୟ ପ୍ରଶିକ୍ଷଣ ଶିବିର କରାଯାଉଛି। ଓଡ଼ିଶା ରାଜ୍ୟ କରାଟେ ଡୋ ସଂଘର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିର ଅଗଷ୍ଟ ୨୮ ତାରିଖରେ ଉଦଯାପିତ ହେବ। ସକାଳେ ଓ ସନ୍ଧ୍ୟାରେ ଦୁଇବେଳା ପ୍ରଶିକ୍ଷଣ ଚାଲୁଥିବା ରାଜ୍ୟ କରାଟେ ସଂଘର ସମ୍ପାଦକ ଡ. ଗୌରୀ ମହାନ୍ତି ଜଣାଇଛନ୍ତି। ଉଦଘାଟନୀ ଉତ୍ସବରେ ବିଶ୍ୱ ଚାମ୍ପିଅନ୍‌ ଅମିର ମେହେଦୀ ଜାଦେ, ସେନସେଇ ସବନ କୁମାର ଓ ଡ. ହରି ପ୍ରସାଦ ପଟ୍ଟନାୟକଙ୍କ ଉପସ୍ଥିତିରେ କରାଯାଇଥିଲା । ଗତ ଏସୀୟ କରାଟେ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିବା ପ୍ରତିଯୋଗୀମାନେ ଏହି ଶିବିରରେ ଉପସ୍ଥିତ ଅଛନ୍ତି।