ଜାତୀୟ ଭାରୋତ୍ତୋଳନ ରେଫରି ପରୀକ୍ଷାରେ ୮ ଓଡ଼ିଆ

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଭାରୋତ୍ତୋଳନ ରିଫ୍ରେସର ପାଠ୍ୟକ୍ରମର ଦ୍ୱିତୀୟ ଦିବସରେ ଜାତୀୟ କାଟେଗୋରି-୨ ରେଫରି ପରୀକ୍ଷା ସମ୍ପନ୍ନ ହୋଇଛି। ଅନ୍ୟାନ୍ୟ ନିୟମିତ କାର୍ଯ୍ୟକ୍ରମ ସହିତ ମଧ୍ୟାହ୍ନରେ ଅନୁଷ୍ଠିତ ଏହି ପରୀକ୍ଷାରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ ମୋଟ ୧୨ ଜଣ ଭାଗ ନେଇଥିଲେ। ଓଡ଼ିଶାରୁ ଭାଗ ନେଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ଡକ୍ଟର ହରି ପ୍ରସାଦ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ସାହୁ, ଅନ୍ତର୍ଜାତୀୟ ଭାରୋତ୍ତୋଳିକା ରାନୁ ମହାନ୍ତି, ସଚିଦାନନ୍ଦ ଦାସ, ଗାଗାରିନ ନାୟକ, ଏସ୍‌ଭି ଚନ୍ଦନା, କୁମୁଦ ଚନ୍ଦ୍ର ସାହୁ, ନୀଳକଣ୍ଠ ବରିହା ସାମିଲ ଥିଲେ। ସେହିଭଳି ତେଲେଙ୍ଗାନାରୁ ଅରୁଣ କିଶୋର, ଜି ପଓ୍ଵନ କୁମାର, ଆନ୍ଧ୍ରପ୍ରଦେଶରୁ ଜି ଭେଙ୍କଟରାମା ଓ ଜି ଆପ୍ପାଲାରାଗୁ ପରୀକ୍ଷା ଦେଇଛନ୍ତି। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ବ୍ୟକ୍ତିମାନେ ଜାତୀୟ ଓ ଅନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତା ଆୟୋଜନର ଯୋଗ୍ୟତା ଅର୍ଜନ କରିବେ। ଏକମାତ୍ର ମହିଳା ପରୀକ୍ଷାର୍ଥୀ ଭାବେ କ୍ରୀଡ଼ା ନିର୍ଦେଶକ ଭିନିଲ୍‌ କ୍ରିଷ୍ଣାଙ୍କ ପତ୍ନୀ ତଥା ରାଜ୍ୟ ପଦକ ବିଜୟିନୀ ଏସ୍‌ଭି ଚନ୍ଦନା ଆକର୍ଷଣରେ ରହିଥିଲେ। ଦେଶର ଦୁଇ ପ୍ରଥମ ଭାରୋତ୍ତୋଳନ ଦ୍ରୋଣାଚାର୍ଯ୍ୟ ତଥା ଜାତୀୟ ଦଳର ପୂର୍ବତନ ପ୍ରଶିକ୍ଷକ ପଲ୍‌ ସିଂହ ସାନ୍ଧୁ ଏବଂ ହଂସା ଶର୍ମା ମନରାଲ୍‌ ନିରୀକ୍ଷକ ଭାବେ ଏହାକୁ ପରିଚାଳନା କରିଥିଲେ। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରାପ୍ତ ପ୍ରଶିକ୍ଷକ ପି ଧର୍ମାରାଓ ଏହି କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି।

ସମ୍ବନ୍ଧିତ ଖବର