ଭୁବନେଶ୍ବର: ଚେନ୍ନାଇରେ ଚାଲିଥିବା ଜାତୀୟ ମାଷ୍ଟର୍ସ କପ୍‌ ହକି ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଓଡ଼ିଶା ମହିଳା ଦଳ ପ୍ରବେଶ କରିଛି। ମଙ୍ଗଳବାର କ୍ବାର୍ଟରଫାଇନାଲ୍‌‌ରେ ଓଡ଼ିଶା ୧୦-୦ ଗୋଲ୍‌ରେ କେରଳକୁ ମାତ୍‌ ଦେଇଛି। ଓଡ଼ିଶା ଦଳର ଦୁଇ ସରିତା ମିଳିତ ଭାବେ ୮ ଗୋଲ୍ ଦେଇ ଏହି ସଫଳତା ଆଣିଛନ୍ତି। ସରିତା ଲାକ୍ରା ୫ ଓ ସରିତା ରୋଶନ ମିଞ୍ଜ୍‌ ୩ ଗୋଲ୍ ଦେଇଥିଲେ। ମ୍ୟାଚ୍‌ର ଅଷ୍ଟମ ମିନିଟ୍‌ରେ ଅଧିନାୟିକା ଲୁସେଲା ଏକ୍କାଙ୍କ ଫିଲ୍ଡ ଗୋଲ୍‌ରେ ଓଡ଼ିଶା ଅଭିଯାନ ଆରମ୍ଭ କରିଥିଲା। ଏହାପରେ ପ୍ରତିମା ଏକ୍କା (୧୧ ମିନିଟ୍‌) ଓ ସରିତା ଲାକ୍ରା (୧୪ ମିନିଟ୍‌)ଙ୍କ ଗୋଲ୍‌ରେ ଓଡ଼ିଶା ପ୍ରଥମ କ୍ବାର୍ଟରରେ ୩-୦ରେ ଆଗରେ ରହିଥିଲା।

Advertisment

ଦ୍ବିତୀୟ କ୍ବାର୍ଟରରେ ସରିତା ରୋଶନ ମିଞ୍ଜ (୨୩, ୨୬ ମିନିଟ୍‌) ଦୁଇଟି ଗୋଲ୍‌ ସ୍ଥିତି ୫-୦ କରିଥିଲେ। ତୃତୀୟ କ୍ବାର୍ଟରରେ ସରିତା ଲାକ୍ରା (୩୨, ୩୬ ମିନିଟ୍‌) ଦୁଇଟି ଓ ସରିତା ରୋଶନ ମିଞ୍ଜ୍‌ (୪୩ ମିନିଟ୍‌) ଗୋଟିଏ ଗୋଲ୍‌ ଦେଇ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଶେଷ କ୍ବାର୍ଟରରେ ସରିତା ଲାକ୍ରା (୪୬, ୫୦ ମିନିଟ୍‌) ଦୁଇଟି ଗୋଲ୍‌ ଲଦି ୫ ଗୋଲ୍‌ ଦେବାର ସଫଳତା ପାଇବା ସହ ଦଳକୁ ବିଜୟ ଭେଟି ଦେଇଥିଲେ। ସରିତା ରୋଶନ ମିଞ୍ଜ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଓଡ଼ିଶା ଗୁରୁବାର ସେମିଫାଇନାଲ୍‌ରେ ତାମିଲନାଡ଼ୁକୁ ଭେଟିବ। ତାମିଲନାଡ଼ୁ ୩-୧ରେ କର୍ଣ୍ଣାଟକକୁ ହରାଇଥିଲା। ଅନ୍ୟଏକ ସେମିଫାଇନାଲ୍‌ରେ ପଞ୍ଜାବ-ହରିୟାଣା ମୁହାଁମୁହିଁ ହେବେ। ପଞ୍ଜାବ ୧୩-୦ରେ ମହାରାଷ୍ଟ୍ରକୁ ଏବଂ ହରିୟାଣା ୮-୦ରେ ହିମାଚଳପ୍ରଦେଶକୁ ପରାସ୍ତ କରିଥିଲେ।