ଜାତୀୟ ମୋଟର ସାଇକେଲ୍‌ ରେସିଂ: ପୋଡିୟମ୍‌ ଫିନିସ୍‌ ଲକ୍ଷ୍ୟରେ ଉଦୀପ୍ତ

ଭୁବନେଶ୍ୱର: ଜାତୀୟ ମୋଟରସାଇକେଲ୍‌ ରେସିଂର ତୃତୀୟ ପର୍ଯ୍ୟାୟ ଚଳିତମାସ ୩୧ ତାରିଖରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚେନ୍ନାଇର ମାଡ୍ରାସ୍‌ ମୋଟର ରେସିଂ ଟ୍ରାକ୍‌ରେ ଅନୁଷ୍ଠିତ ହେବ। ଏଥିଲାଗି ରାଜ୍ୟର ଏକମାତ୍ର ପେସାଦାର ମୋଟର ରେସର୍‌ ଉଦୀପ୍ତ କୁମାର ରଥ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଉଦୀପ୍ତ ଏବଂ ପାଟନାର ପୀୟୂଷ ରଂଜନ ମିଳିତ ଭାବେ ଗଠନ କରିଥିବା ‘ନରସିମ୍‌ ରେସିଂ’ ଏହି ପ୍ରତିଯୋଗିତା ଲାଗି ‘ଭର୍ଟେକ୍ସ ରେସିଂ’କୁ ବୈଷୟିକ ସାଥୀ ଭାବେ ନେଇଛନ୍ତି। ସେହିଭଳି ପ୍ରଥମ ଥର ପାଇଁ ଏମଆରଏଫ୍‌ ସିଲ୍କ ଟାୟାରରେ ରେସିଂ କରିବାକୁ ଯାଉଛନ୍ତି। ସେଥିମଧ୍ୟ ତୃତୀୟ ପର୍ଯ୍ୟାୟରେ ଟପ୍‌ ଥ୍ରୀ ଫିନିସ୍‌ ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ପାଞ୍ଚ ପର୍ଯ୍ୟାୟ ବିଶିଷ୍ଟ ଜାତୀୟ ମୋଟର ରେସିଂ ପ୍ରତିଯୋଗିତାର ପ୍ରଥମ ଦୁଇ ପର୍ଯ୍ୟାୟ ଶେଷ ହୋଇ ଯାଇଛି।

ପ୍ରଥମ ପର୍ଯ୍ୟାୟରେ ଉଦୀପ୍ତ ତୃତୀୟ ସ୍ଥାନରେ ଥିଲା ବେଳେ ତାଙ୍କ ଆଗରେ ଅନ୍ୟ ଜଣେ ରେସର୍‌ ଦୁର୍ଘଟଣା ଗ୍ରସ୍ତ ହେବାରୁ ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରେ ରହିବାରୁ ବଞ୍ଚିତ ହୋଇଥିଲେ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ବୈଷୟିକ ସମସ୍ୟା ପାଇଁ ଦୁର୍ଭାଗ୍ୟଜନକ ଭାବେ ଏହି ଲକ୍ଷ୍ୟ ପୂରଣ କରି ପାରି ନଥିଲେ। ହେଲେ ତୃତୀୟ ପର୍ଯ୍ୟାୟ ପାଇଁ ସେ ବେଶ୍‌ ଉତ୍ସାହିତ ଅଛନ୍ତି। ତୃତୀୟ ପର୍ଯ୍ୟାୟରେ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ରହିବାକୁ ଆମେ ଲକ୍ଷ୍ୟ ରଖିଛୁ। ଶୀର୍ଷ ୩ ଜଣଙ୍କ ମଧ୍ୟରେ ରହିଲେ ଆମ ପାଇଁ ଏହା ଏକ ବଡ଼ ସଫଳତା ହେବ ବୋଲି ଉଦୀପ୍ତ କହିଛନ୍ତି। ଉଦୀପ୍ତ ଓ ପୀୟୂଷ ଏହି ପ୍ରତିଯୋଗିତାରେ ପ୍ରୋ-ଷ୍ଟକ୍‌ ୩୦୧-୪୦୦ ସିସି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେମାନେ କେଟିଏମ୍‌ ଆରସି ୩୯୦ର ପ୍ରୋଟୋଟାଇପ୍‌ ବାଇକ୍‌ ଚଳାଇବେ।

ସମ୍ବନ୍ଧିତ ଖବର