କଟକ: ରାଞ୍ଚିରେ ଚାଲିଥିବା ଜାତୀୟ ଓପନ ଦୌଡ଼କୁଦରେ ଦୂତି ଚାନ୍ଦ ଦ୍ବିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ଦୂତି ପ୍ରଥମ ସ୍ବର୍ଣ୍ଣ ପଦକ ଜିତିବା ସହ ଜାତୀୟ କୀର୍ତ୍ତିମାନ କରିଥିଲେ। ଏହାପରେ ରବିବାର ୨୦୦ ମିଟର ଦୌଡ଼ରେ ଦୂତି ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହି ଦୂରତାକୁ ସେ ୨୩.୧୭ ସେକେଣ୍ତ ସମୟ ନେଇ ଅତିକ୍ରମ କରିବାରେ ସଫଳ ହୋଇଥିଲେ। ଏହାକୁ ମିଶାଇ ଓଡ଼ିଶାର ମୋଟ ପଦକ ସ˚ଖ୍ୟା ୩ରେ ପହଞ୍ଚିଛି। ଦୂତିଙ୍କ ବ୍ୟତୀତ ଅମିୟ କୁମାର ମଲ୍ଲିକ ପୁରୁଷ ୧୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ରବିବାର ମହିଳା ୨୦୦ ମିଟରରେ ଦୁତିଙ୍କ ପଛକୁ ତାମିଲନାଡୁର ଅର୍ଚ୍ଚନା ସୁସିନ୍ଦ୍ରନ୍‌ ୨୩.୪୧ ସେକେଣ୍ତରେ ରୌପ୍ୟ ଓ ରେଳବାଇର ଚନ୍ଦ୍ରଲେଖ ଆନନ୍ଦନ୍‌ ୨୩.୭୪ ସେକେଣ୍ତ କା˚ସ୍ୟ ପଦକ ଜିତିଥିଲେ।

Advertisment

ଏହି ଦୌଡ଼କଦ ପ୍ରତିଯୋଗିତାରେ ଦୂତି ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍‌ ବିବେଚିତ ହୋଇଛି। ଏଠାରେ ସେ ୧୦୦ ମିଟର ଦୌଡ଼ରେ ନୂଆ କୀର୍ତ୍ତିମାନ ସହ ମୋଟ ୧୧୫୨ ପଏଣ୍ଟ ହାସଲ କରିଥିଲେ। ତାଙ୍କ ବ୍ୟତୀତ ପୁରୁଷ ବର୍ଗର ସଟ୍‌ ପୁଟରେ ତାଜିନ୍ଦର ସି˚ହ ଟୁର ୧୧୭୬ ପଏଣ୍ଟ ଅର୍ଜନ କରି ଶ୍ରେଷ୍ଠ କ୍ରୀଡ଼ାବିତ୍‌ ବିବେଚିତ ହୋଇଛନ୍ତି। ପୁରୁଷ ବିଭାଗରେ ସର୍ଭିସେସ୍‌ ୧୭୪ ପଏଣ୍ଟ, ମହିଳାରେ ରେଳବାଇ ୨୧୯.୫ ପଏଣ୍ଟ ପାଇ ବିଜେତା ହୋଇଥିଲେ। ରେଳବାଇ ଦଳଗତ ଭାବେ ମୋଟ ୨୬୪.୫ ପଏଣ୍ଟ ପାଇ ଶୀର୍ଷରେ ରହିଥିଲା।