ଭୁବନେଶ୍ବର: ବେଙ୍ଗାଲରୁର କାନ୍ତିରବା ଷ୍ଟାଡିୟମ୍‌ରେ ଚାଲିଥିବା ୬୩ତମ ଜାତୀୟ ଓପନ୍ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାକୁ ଦ୍ବିତୀୟ ସ୍ବର୍ଣ୍ଣ ପଦକ ଦେଇଛନ୍ତି ପୁରୁଷ ରିଲେ ଦଳ। ଅମିୟ ମଲ୍ଲିକ, ଅନିମେଶ କୁଜୁର, ଅଭିନାଶ ସାହୁ, ଲାଲୁ ପ୍ରସାଦ ଭୋଇଙ୍କୁ ନେଇ ଗଠିତ ଓଡ଼ିଶା ୪ ଗୁଣା ୧୦୦ ମିଟର୍ ରିଲେ ଦଳ ୩୯.୬୫ ସେକେଣ୍ଡ୍ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ରେଳବାଇ ସ୍ପୋର୍ଟସ ପ୍ରମୋସନ୍ ବୋର୍ଡ (୩୯.୮୨ ସେକେଣ୍ଡ୍) ଓ ସର୍ଭିସେସ୍ ସ୍ପୋର୍ଟସ କଣ୍ଟ୍ରୋଲ୍ ବୋର୍ଡ (୩୯.୯୯ ସେକେଣ୍ଡ୍‌) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ଜିତିଛନ୍ତି।

Advertisment

 ସେହିଭଳି ଓଡ଼ିଶା ୪ ଗୁଣା ୧୦୦ ମିଟର୍ ମହିଳା ରିଲେ ଦଳ କାଂସ୍ୟ ପଦକ ଜିତିଛନ୍ତି। ଅଲିମ୍ପିଆନ୍ ଶ୍ରାବଣୀ ନନ୍ଦଙ୍କ ନେତୃତ୍ବରେ ଗଠିତ ଦଳରେ ମେରିମୁକ୍ତା ସୋରେଙ୍ଗ, ସୁଖି ବାସ୍କେ, ବିନତି ବେ‌ହେରା ସାମିଲ ଥିଲେ। ଏହି ଦଳ ୪୫.୯୩ ସେକେଣ୍ଡ୍ ସମୟ ନେଇ ତୃତୀୟରେ ରହିଥିବାବେଳେ କର୍ଣ୍ଣାଟକ (୪୫.୨୧ ସେକେଣ୍ଡ୍) ଓ ରେଳବାଇ ସ୍ପୋର୍ଟସ ପ୍ରମୋସନ୍ ବୋର୍ଡ (୪୫.୨୯ ସେକେଣ୍ଡ୍‌) ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତି ନେଇଥିଲେ। ଏଥି ସହିତ ଲାଲୁ ପ୍ରସାଦ ଭୋଇ ବ୍ୟକ୍ତିଗତ ଭାବେ ଦୁଇ ଦିନରେ ୨ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଶ୍ରାବଣୀ ଦୁଇ କାଂସ୍ୟ ପଦକ ଜିତିଛନ୍ତି। ଲାଲୁ ଶନିବାର ରାତିରେ ପୁରୁଷ ୧୦୦ ମିଟରରେ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ (୧୦.୩୪ ସେକେଣ୍ଡ) ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିଭଳି ପ୍ରଜ୍ଞା ପ୍ରଶାନ୍ତି ସାହୁ ମହିଳା ୧୦୦ ମିଟର ବାଧାଦୌଡ଼ ରୌପ୍ୟ ପଦକ ହାସଲ କରିଥିଲେ। ଉଭୟ ଲାଲୁ ଓ ପ୍ରଜ୍ଞା କିଟ୍‌ରେ ପଢ଼ୁ୍‌ଥିଲା ବେଳେ ଓଡ଼ିଶା ରିଲାଏନ୍ସ ଏଚ୍‌ପିସିର ପ୍ରଶିକ୍ଷକ ରୋହିତ ମାନେଙ୍କ ଅଧୀନରେ ପ୍ରଶିକ୍ଷଣ ନେଉଛନ୍ତି। ମହିଳା ୧୦୦ ମିଟରରେ ଶ୍ରାବଣୀ ନନ୍ଦ (୧୧.୭୩ ସେକେଣ୍ଡ) କାଂସ୍ୟ ପଦକ ଜିତିଛନ୍ତି।