କଳିଙ୍ଗ ଷ୍ଟାଡିୟମ୍‌ରେ ଜାତୀୟ ଓପନ୍‌ ଦୌଡ଼କୁଦ

ଭୁବନେଶ୍ୱର: ୫୮ତମ ଜାତୀୟ ଓପନ୍‌ ଦୌଡ଼କୁଦ ଚଳିତ ମାସ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ। ଏଥିରେ ସାରା ଦେଶର ବଛା ବଛା ୬୦୦ ଖେଳାଳି ଅଂଶ ଗ୍ରହଣ କରିବେ। ନିକଟରେ ଶେଷ ହୋଇଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ଭାରତ ପାଇଁ ପଦକ ଜିତିଥିବା ଅଧିକାଂଶ ତାରକା ଧାବକ/ଧାବିକା ଏଥିରେ ଅଂଶ ଗ୍ରହଣ କରିବେ। ସର୍ବଭାରତୀୟ ଦୌଡ଼କୁଦ ସଂଘ (ଏଏଫ୍‌ଆଇ) ଓ ଓଡ଼ିଶା ଦୌଡ଼କୁଦ ସଂଘର ମିଳିତ ସହଯୋଗରେ ଓଡ଼ିଶା ସରକାର ଏହାକୁ ଆୟୋଜନ କରିବେ। ପ୍ରତିଯୋଗିତା ଲାଗି ୫୦ ଲକ୍ଷର ବ୍ୟୟବରାଦ ରଖାଯାଇଛି। ଏହି ରାଶି ଓଡ଼ିଶା ସରକାର ଯୋଗାଇଦେବେ ବୋଲି ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଏଫ୍‌ଆଇ ମହାସଚିବ ସିକେ ଭଲସନ୍‌ ସୂଚନା ଦେଇଛନ୍ତି। ବିଭିନ୍ନ ରାଜ୍ୟ ସହ ସର୍ଭିସେସ୍‌, ଏଲ୍‌ଆଇସି ଏବଂ ରେଳବାଇ ଭଳି ପ୍ରମୁଖ ସଂସ୍ଥାର ଖେଳାଳିମାନେ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗନେବେ। ୮୦ ଜଣ ଅଧିକାରୀ ଏବଂ ୫୦ ସ୍ୱେଛାସେବୀ ପ୍ରତିଯୋଗିତା ପରିଚାଳନା କରିବେ। ଚାରି ଦିନିଆ ପ୍ରତିଯୋଗିତା ଦୁଇଟି ପର୍ଯ୍ୟାୟ ସକାଳ ଏବଂ ସଂଧ୍ୟାରେ ଆୟୋଜିତ ହୋଇ ୨୮ ତାରିଖରେ ଉଦ୍‌ଯାପିତ ହେବ। ଏହି ଅବସରରେ ଖେଳାଳିଙ୍କ ଡୋପ୍‌ ପରୀକ୍ଷଣ ମଧ୍ୟ କରାଯିବ। ଖେଳାଳି ଏବଂ ଅଧିକାରୀଙ୍କ ପାଇଁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ରହିବା ବ୍ୟବସ୍ଥା କରାଯିବ। ମଙ୍ଗଳବାରର ସାମ୍ବାଦିକ ସମ୍ମିଳନୀରେ ଭାଲସନଙ୍କ ସହ କ୍ରୀଡ଼ା ବିଭାଗ ଯୁଗ୍ମସଚିବ ମନୋଜ ପାଢ଼ୀ, ଓଡ଼ିଶା ଦୌଡ଼କୁଦ ସଂଘର ବରିଷ୍ଠ ଅଧିକାରୀ ପ୍ରବୋଧ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତା ପାଇଁ ପଞ୍ଜିକରଣର ଶେଷ ତାରିଖ ଚଳିତ ମାସ ୧୨ ତାରିଖ ରଖାଯାଇଛି।

ସମ୍ବନ୍ଧିତ ଖବର