ଜାତୀୟ ପାରା ଆଥ୍‌ଲେଟିକ୍‌ ଚାମ୍ପିଅନ୍‌ସିପ୍‌: ଓଡ଼ିଶାକୁ ୪ ପଦକ

ପଙ୍କଜ ଓ ଜୟନ୍ତୀଙ୍କୁ ସ୍ବର୍ଣ୍ଣ, ମଙ୍ଗତ ଓ ଅର୍ଜନ ଜିତିଲେ କାଂସ୍ୟ

ଭୁବନେଶ୍ବର: ମହାରାଷ୍ଟ୍ରର ପୁଣେରେ ଆରମ୍ଭ ହୋଇଥିବା ଜାତୀୟ ପାରା ଆଥ୍‌ଲେଟିକ୍‌ ଚାମ୍ପିଅନ୍‌ସିପ୍‌ର ଶନିବାର ପ୍ରଥମ ଦିବସରେ ଓଡ଼ିଶା ୪ ପଦକ ଅମଳ କରିଛି। ସେଥିରେ ୨ ଲେଖାଏଁ ସ୍ବର୍ଣ୍ଣ ଏବଂ କାଂସ୍ୟ ସାମିଲ ରହିଛି। ବାଲେୱାଡିର ଶ୍ରୀ ଶିବ ଛତ୍ରପତି ସ୍ପୋର୍ଟସ କଂପ୍ଲେକ୍ସରେ ଆୟୋଜିତ ଏହି ପ୍ରତିଯୋଗିତାର ଲମ୍ବ ଡିଆଁର ଟି-୧୩ ବର୍ଗରେ ଓଡ଼ିଶାର ପଙ୍କଜ ଭୂଇ ସ୍ବର୍ଣ୍ଣ ଜିତିଥିଲା ବେଳେ ମଙ୍ଗତ ହେମ୍ବ୍ରମ୍ କାଂସ୍ୟ ପାଇଛନ୍ତି। ପଙ୍କଜ ୫.୬୦ ମିଟର ଲମ୍ଫ ମାରି ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣିମ ସଫଳତା ହାତେଇଥିଲା ବେଳେ ୫.୩୩ ମିଟର ଦୂରତ୍ବକୁ ଡେଇଁ ମଙ୍ଗତ ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ହାସଲ କରିଛନ୍ତି।

ଏହି ବର୍ଗରେ ଆନ୍ଧ୍ର ପ୍ରଦେଶର ବୋଡୁ ଶ୍ରୀହରି (୫.୪୨ ମିଟର) ରୌପ୍ୟ ପଦକ କରାୟତ କରିଛନ୍ତି। ସେହିପରି ଟି-୪୭ ବର୍ଗ ୪୦୦ ମିଟରରେ ଜୟନ୍ତୀ ବେହେରା ୧:୦୨.୨୧ ସେକେଣ୍ଡ ଟାଇମିଂ ସହ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣିମ ସଫଳତା ହାତେଇଥିଲା ବେଳେ ମହାରାଷ୍ଟ୍ରର ଋତୁଜା କିଶୋର କାୱାଥାଲେ (୧:୧୦.୫୬) ଏବଂ ଝାଡ଼ଖଣ୍ଡର କାଜଲ କୁମାରୀ (୧:୧୩.୧୩) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ଜିତିଥିଲେ। ଅନ୍ୟତମ ଓଡ଼ିଆ ଖେଳାଳି ଅର୍ଜୁନ ଭତ୍ରା ଟି-୧୨ ବର୍ଗ ୪୦୦ ମିଟର ରେସ୍‌କୁ ୫୭.୪୧ ସେକେଣ୍ଡ ଟାଇମିଂରେ ଶେଷ କରି ତୃତୀୟରେ ରହିଥିଲେ। ଦିଲ୍ଲୀର ମହମ୍ମଦ ଆରିଫ୍‌ ଏବଂ ଭୋଳା ରାମ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ। ଆସନ୍ତାକାଲି ରବିବାରରେ ଜୟନ୍ତୀ, ରଶ୍ମୀ ରଞ୍ଜନ ଓ ଗୋବିନ୍ଦ ଦୁବେଙ୍କଠୁ ଓଡ଼ିଶା ପଦକ ଆଶା ରଖିଛି।

ସମ୍ବନ୍ଧିତ ଖବର