ଭୁବନେଶ୍ବର: ତାମିଲନାଡୁର କୋଏମ୍ବାଟୁରରେ ଚାଲିଥିବା ଜାତୀୟ ହ୍ବିଲଚେୟାର ଅସିଚାଳନା ପ୍ରତିଯୋଗିତାର ତୃତୀୟ ଦିନରେ ଓଡ଼ିଆ ଖେଳାଳି ଭି. ରମେଶ ରାଓ, ପୂଜାସ୍ୱିନୀ ନାୟକ, ମାଳତୀ ପାନୁରେ ଓ ଶୀଲା ମନ୍ତ୍ରୀ ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ବ୍ୟକ୍ତିଗତ ମହିଳା ଇପି-ଏ ରେ ମାଳତି ପାନାଉର୍ ନିଜ ରାଜ୍ୟର ଶୀଲା ମନ୍ତ୍ରୀଙ୍କୁ ୧୫-୦୯ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ବ୍ୟକ୍ତିଗତ ମହିଳା ଫଏଲ-ଏରେ ଶୀଲାମନ୍ତ୍ରୀ ଏହାର ପ୍ରତିଶୋଧ ନେଇ ମାଳିତଙ୍କୁ ୧୫-୦୯ ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଅକ୍ତିଆର କରିନେଇଥିଲେ। ବ୍ୟକ୍ତିଗତ ମହିଳା ଇପି-ବିରେ ପୂଜାସ୍ବିନୀ ନାୟକ ୧୫-୭ରେ ଛତିଶଗଡ଼ର ରୋହିଣୀ ସାହୁଙ୍କୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେମିଫାଇନାଲ୍ରେ ଆଶା ସିଂହ ୧୪-୧୫ରେ ପୂଜାସ୍ବନୀ ନାୟକଙ୍କଠାରୁ ହାରି କାଂସ୍ୟ ପଦକ ପାଇଛନ୍ତି। ବ୍ୟକ୍ତିଗତ ପୁରୁଷ ଫଏଲ୍-ଏ ରେ ଭି. ରମେଶ ରାଓ ୧୫-୧୩ରେ ହରୟାଣାର ସୁଧୀର ସିଂହଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପୂର୍ବରୁ ରମେଶ ଇପିରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ସେମିଫାଇନାଲ୍ରେ ରମେଶଙ୍କଠାରୁ ହାରି ରାଖାଲ କୁମାର ସେଠୀ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ବ୍ୟକ୍ତିଗତ ପୁରୁଷ ଫଏଲ -ବିରେ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ୯-୧୫ରେ ହରିୟାଣାର ସୁନୀଲ ଫୋଗଟଙ୍କଠାରୁ ହାରି ରୌପ୍ୟ ପଦକ ଜିତିଛନ୍ତି। ସେମିଫାଇନାଲ୍ରେ ସୁନୀଲଙ୍କଠାରୁ ହାରିଥିବା ଓମ୍ ପ୍ରକାଶ ବେହେରା କାଂସ୍ୟ ପାଇଛନ୍ତି। ତୃତୀୟ ଦିନରେ ଓଡିଶା ୪ ସ୍ୱର୍ଣ୍ଣ ସହିତ ୩ ରୌପ୍ୟ ଓ ୩ କାଂସ୍ୟ ପଦକ ଜିତିଛନ୍ତି। ଏଥି ସହିତ ଓଡ଼ିଶା ଥଳିରେ ମୋଟ ୧୯ ପଦକ ପଡ଼ିସାରିଛି।
ଜାତୀୟ ପାରା ବ୍ୟାଡ୍ମିଣ୍ଟନ୍: ଦୀପ ରଂଜନଙ୍କୁ ରୌପ୍ୟ
ଭୁବନେଶ୍ବର: ଜାମସେଦପୁରଠାରେ ଶନିବାର ଶେଷ ହୋଇଥିବା ଷଷ୍ଠ ଜାତୀୟ ପାରା ବ୍ୟାଡ଼୍ମିଣ୍ଟନ୍ ପ୍ରତିଯୋଗିତାରେ ଓଡ଼ିଶାକୁ ରୌପ୍ୟ ପଦକ ମିଳିଛି। ପୁରୁଷ ଯୁଗଳ ସେମିଫାଇନାଲରେ ଦୀପରଂଜନ ବିଶୋଇ ଉତ୍ତରାଖଣ୍ଡର ମନୋଜ ସରକାରଙ୍କୁ ସାଥୀ କରି ଉତ୍ତରପ୍ରଦେଶ-ତାମିଲନାଡୁ ଯୋଡ଼ି ନିହାଲ ଗୁପ୍ତା-ନବୀନ ଶିବକୁମାରଙ୍କୁ ୧୭-୨୧, ୨୧-୧୫, ୨୧-୧୭ ରେ ପରାସ୍ତ କରି ଫାଇନାଲ୍ ଆସିଥିଲେ। କିନ୍ତୁ ଟାଇଟଲ୍ ମୁକାବିଲାରେ ଦୀପ-ମନୋଜ ଯୋଡ଼ି ଆହତ ହେବାରୁ ରୌପ୍ୟ ପାଇଛନ୍ତି। ହରିୟାଣା ତରୁଣ ଓ ନୀତେଶ କୁମାର ଯୋଡ଼ି ସ୍ବର୍ଣ୍ଣ ବିଜୟୀ ହୋଇଛନ୍ତି। ଓଡ଼ିଶାରୁ ୧୨ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ।