ଭୁବନେଶ୍ବର: ଚେନ୍ନାଇରେ ଚାଲିଥିବା ୨୩ତମ ଜାତୀୟ ପାରା ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରଥମ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ସ୍ପ୍ରିଣ୍ଟର୍‌ ଜୟନ୍ତୀ ବେହେରା। ଏଥିସହ ‌ବୁଧବାର ଜୟନ୍ତୀ ୨ଟି ସ୍ବର୍ଣ୍ଣ ଜିତି ରାଜ୍ୟର ଖୁସି ଦ୍ବିଗୁଣିତ କରିଛି। ବୁଧବାର ମହିଳା ଟି-୪୭ ୧୦୦ ମିଟର ଏବଂ ୪୦୦ ମିଟର ଦୌଡ଼ରେ ଜୟନ୍ତୀ ଏହି ସ୍ବର୍ଣ୍ଣ ଦ୍ବୟ ଜିତିଛନ୍ତି। ୧୦୦ ମିଟର ରେସ୍‌କୁ ସେ ୧୩.୪୩ ସେକେଣ୍ଡ୍‌ରେ ଶେଷ କରି ଏହି ପଦକ କରାୟତ୍ତ କରିଥିଲେ। ଦିଲ୍ଲୀର କୀର୍ତ୍ତି ଚୌହାନ (୧୩.୮୫) ରୌପ୍ୟ ଏବଂ ଆନ୍ଧ୍ରପ୍ରଦେଶର ଭବାନୀ ଭାଲାସାମଗାରି (୧୪.୦୩) କାଂସ୍ୟ ପାଇଥିଲେ। ୪୦୦ ମିଟର ଦୌଡ଼କୁ ଜୟନ୍ତୀ ୧ ମିନିଟ୍‌ ୧.୧୯ ସେକେଣ୍ଡ୍‌ରେ ଶେଷ କରି ପ୍ରଥମ ସ୍ଥାନରେ ରହି ପୋଡିୟମ୍‌ ଫିନିସ୍‌ କରିଥିଲେ।

Advertisment

ଗୁଜରାଟର ଅଞ୍ଜନାବେନ ବୁମବାଡ଼ିଆ (୧:୫.୨୫) ଓ ଝାଡ଼ଖଣ୍ଡର କାଜଲ କୁମାରୀ (୧:୧୧.୯୮) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ପଙ୍କଜ ଭୁଏ ଓ କମଳାକାନ୍ତ ନାୟକ ବୁଧବାର ଓଡ଼ିଶା ପାଇଁ ୨ଟି ରୌପ୍ୟ ପଦକ ଜିତିଛନ୍ତି। ପୁରୁଷ ଲମ୍ବଡିଆଁ ଟି-୧୩ରେ ପଙ୍କଜ ୫.୯୩ ମିଟର ଡେଇଁ ଦ୍ବିତୀୟ ସ୍ଥାନରେ ରହିଥିଲେ। ଛତିଶଗଡ଼ର କଳାରାମ ପଟେଲ (୬.୫୫ ମିଟର) ଓ ଗୁଜରାଟର ପ୍ରଦୀପସିନ ଚୌହାନ (୫.୭୪ ମିଟର) ଯଥାକ୍ରମେ ସ୍ବର୍ଣ୍ଣ ଓ କାଂସ୍ୟ ପାଇଛନ୍ତି। ପୁରୁଷ ଜାଭ୍‌ଲିନ୍‌ ଏଫ୍‌-୫୩ ବର୍ଗରେ କମଳାକାନ୍ତ (୧୬.୨୨ ମିଟର) ରୌପ୍ୟ ଜିତିଥିଲା ବେଳେ ହରିୟାଣାର ସୁମିତ (୧୭.୧୫ ମିଟର) ସ୍ବର୍ଣ୍ଣ ଓ ଉତ୍ତରପ୍ରଦେଶର ଆଦିତ୍ୟ କୁମାର (୧୬.୧୦) କାଂସ୍ୟ କରାୟତ୍ତ କରିଥିଲେ। ଏହି ୪ ପଦକ ସହ ଓଡ଼ିଶାର ପଦକ ସଂଖ୍ୟା‌ ୫ (୨ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧ କାଂସ୍ୟ)ରେ ପହଞ୍ଚିଛି। ଏହି ସଫଳତା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପଦକ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।