ଜାତୀୟ ପାରା ଦୌଡ଼କୁଦ: ଜୟନ୍ତୀଙ୍କୁ ଦ୍ବିତୀୟ ସ୍ବର୍ଣ୍ଣ

ପଙ୍କଜ ଓ ଲାଲ ପ୍ରସାଦଙ୍କୁ କାଂସ୍ୟ, ଦ୍ବିତୀୟ ଦିନ ଓଡ଼ିଶାକୁ ୩ ପଦକ

ଭୁବନେଶ୍ବର: ମହାରାଷ୍ଟ୍ରର ପୁଣେରେ ଚାଲିଥିବା ଜାତୀୟ ପାରା ଆଥ୍‌ଲେଟିକ୍‌ ଚାମ୍ପିଅନ୍‌ସିପ୍‌ର ରବିବାର ଦ୍ବିତୀୟ ଦିବସରେ ଓଡ଼ିଶାକୁ ୩ ପଦକ ମିଳିଛି। ଏଥିରେ ଗୋଟିଏ ସ୍ବର୍ଣ୍ଣ ଏବଂ ଦୁଇଟି କାଂସ୍ୟ ସାମିଲ ରହିଛି। ଫଳରେ ପ୍ରଥମ ଦିବସରେ ୪ ପଦକ ଅମଳ କରିଥିବା ଓଡ଼ିଶା ରବିବାର ଦ୍ବିତୀୟ ଦିବସ ସୁଦ୍ଧା ମୋଟ ପଦକ ସଂଖ୍ୟାକୁ ୭କୁ ବଢ଼ାଇଛି। ସେଥିରେ ୩ ସ୍ବର୍ଣ୍ଣ ଓ ୪ କାଂସ୍ୟ ରହିଛି। ଜୟନ୍ତୀ ଏବଂ ପଙ୍କଜ ଦୁଇ ଦିନରେ ବ୍ୟକ୍ତିଗତ ଭାବେ ନିଜ ନିଜର ଦ୍ବିତୀୟ ପଦକ ଜିତିଛନ୍ତି।

ବାଲେୱାଡିର ଶ୍ରୀ ଶିବ ଛତ୍ରପତି ସ୍ପୋର୍ଟସ କଂପ୍ଲେକ୍ସରେ ଆୟୋଜିତ ଏହି ପ୍ରତିଯୋଗିତାର ଶନିବାର ପ୍ରଥମ ଦିବସରେ ଟି-୪୭ ବର୍ଗ ୪୦୦ ମିଟରରେ ସ୍ବର୍ଣ୍ଣ ଜିତିଥିବା ଜୟନ୍ତୀ ବେହେରା ରବିବାର ସେହି ବର୍ଗର ୧୦୦ ମିଟରରେ ମଧ୍ୟ ସ୍ବର୍ଣ୍ଣିମ ସଫଳତା ହାତେଇଛନ୍ତି। ସେ ୧୩.୩୭ ସେକେଣ୍ଡ ଟାଇମିଂରେ ରେସ୍‌ ଶେଷ କରି ପ୍ରଥମ ସ୍ଥାନ ପାଇଥିଲେ। ଏହି ଇଭେଣ୍ଟ‌ରେ ଆନ୍ଧ୍ର ପ୍ରଦେଶର ଭବାନୀ ଭାଲାସାମଗାରି (୧୪.୧୨ ସେକେଣ୍ଡ) ଏବଂ ଉତ୍ତର ପ୍ରଦେଶର ତୃପ୍ତି ରାଜ୍‌ପୁତ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିଲେ।

ଅନ୍ୟପକ୍ଷରେ ଟି-୧୨ ବର୍ଗରେ ଲାଲ ପ୍ରସାଦ ସୋରେନ ୧୨.୫୬ ‌ସେକେଣ୍ଡ ଟାଇମିଂ ସହ ରେସ୍‌ ଶେଷ କରି ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ଜିତିଥିଲେ। ଏଥିରେ ମହାରାଷ୍ଟ୍ରର ଶୁଭମ ଅରୁଣ ସିଂହନାଥ (୧୧.୯୭) ଏବଂ ଦିଲ୍ଲୀର ସୁଜିତ ଏମ୍‌ଏସ୍‌ (୧୨.୨୫) ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଅମଳ କରିଥିଲେ। ସେହିପରି ଟି-୧୩ ବର୍ଗରେ ଶନିବାର ଲମ୍ବ ଡିଆଁ ସ୍ବର୍ଣ୍ଣ ଜିତିଥିବା ଓଡ଼ିଶାର ପଙ୍କଜ ଭୂଇ ରବିବାର ୧୦୦ ମିଟର ଦୌଡ଼ରେ କାଂସ୍ୟ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଗୁଜରାଟର ମିତ୍‌ ତଧାନୀ ଓ ହିମାଚଳ ପ୍ରଦେଶର ଅବନିଲ କୁମାର ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଥିଲେ।

ସମ୍ବନ୍ଧିତ ଖବର