ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ୍‌: ଓଡ଼ିଶାକୁ ୨ ସ୍ୱର୍ଣ୍ଣ ସହ ୬ ପଦକ

ଭୁବନେଶ୍ୱର୍‌: ଉତ୍ତରପ୍ରଦେଶର ବନାରସଠାରେ ଉଦ୍‌ଯାପିତ ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଶାକୁ ୨ ସ୍ୱର୍ଣ୍ଣ, ୨ ରୌପ୍ୟ ଏବଂ ୨ କାଂସ୍ୟ ସହିତ ମୋଟ ୬ ପଦକ ମିଳିଛି। ପ୍ରମୋଦ ଭଗତ ଏକାକୀ ୩ ପଦକ ଦେଇଥିଲେ। ସେ ଏସ୍‌ଏଲ୍‌-୩ ଏକକ ଫାଇନାଲ୍‌ରେ ଉତ୍ତରାଖଣ୍ଡର ମନୋଜ ସରକାରଙ୍କୁ ୨-୧ ସେଟରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ପରେ ମନୋଜ ସରକାରଙ୍କୁ ସାଥୀ କରି ଭଗତ ଯୁଗଳ ବର୍ଗର ସ୍ୱର୍ଣ୍ଣ ପଦକ ମଧ୍ୟ ଜିତି ନେଇଥିଲେ। ମିଶ୍ରିତ ଯୁଗଳରେ ସେ ହରିଆନାର ଜ୍ୟୋତି ଝାଙ୍ଗଡ଼ଙ୍କୁ ନେଇ ରୌପ୍ୟ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ନୁରୁଲ ହାସନ୍‌ ହୁଇଲ୍‌ ଚେୟାର-୨ ଏକକରେ ଉତ୍ତରପ୍ରଦେଶର ଅବୁ ହବେଦାଙ୍କଠାରୁ ୦-୨ରେ ହାରି କାଂସ୍ୟ ପଦକ ଜିତିଥିଲେ। ଯୁଗଳ ବର୍ଗରେ ମଧ୍ୟ ଉତ୍ତରପ୍ରଦେଶର ଶ୍ରୀକେଦାନ ଅହମ୍ମଦଙ୍କୁ ସାଥି କରି କାଂସ୍ୟ ପଦକ ହାସଲ କରିଥିଲେ। ସେହିଭଳି ସୁନୀଲ ପ୍ରଧାନ ଏସ୍‌ଏସ୍‌-୬ ଯୁଗଳରେ ପଶ୍ଚିମବଙ୍ଗର ରାଜା ମଗୋତ୍ରାଙ୍କୁ ନେଇ ରୌପ୍ୟ ପଦକ ହାସଲ କରିଥିଲେ।

ସମ୍ବନ୍ଧିତ ଖବର