ଜାତୀୟ ପାରା ଦୌଡ଼କୁଦ: ଜୟନ୍ତୀଙ୍କୁ ହ୍ୟାଟ୍ରିକ୍‌ ସ୍ବର୍ଣ୍ଣ, ସୁଚିତ୍ରାଙ୍କୁ କାଂସ୍ୟ, ଓଡ଼ିଶାକୁ ୭ ପଦକ

ଭୁବନେଶ୍ବର: କଳିଙ୍ଗ ଓ କିଟ୍‌ ଷ୍ଟାଡିୟମରେ ଆୟୋଜିତ ୨୦ତମ ଜାତୀୟ ପାରା ଦୌଡ଼କୁଦ ଗୁରୁବାର ଉଦ୍‌ଯାପିତ ‌ହୋଇଛି। ଓଡ଼ିଶା ମୋଟ ୭ (୪ ସ୍ବର୍ଣ୍ଣ, ୧ ‌ରୌପ୍ୟ, ୨ କାଂସ୍ୟ) ପଦକ ସହ ଅଭିଯାନ ଶେଷ କରିଛି। ଉଦ୍‌ଯାପନୀ ଦିବସରେ ଓଡ଼ିଶାକୁ ୨ ପଦକ ମିଳିଥିଲା। ସ୍ପ୍ରିଣ୍ଟ୍‌ ରାଣୀ ଜୟନ୍ତୀ ବେହେରା ଟି-୪୭ ୨୦୦ ମିଟରରେ ସ୍ବର୍ଣ୍ଣ ଜିତି ହ୍ୟାଟ୍ରିକ୍‌ ଅର୍ଜନ କରିଥିଲା ବେଳେ ସୁଚିତ୍ରା ପରିଡ଼ା ଏଫ୍‌-୫୭ ଜାଭ୍‌ଲିନ୍‌ରେ କାଂସ୍ୟ ପଦକ ହାସଲ କରିଥିଲେ। ୧୦୦ ଓ ୪୦୦ ମିଟରରେ ସ୍ବର୍ଣ୍ଣ ଜିତିଥିବା ଜୟନ୍ତୀ ଗୁରୁବାର ୨୦୦ ମିଟରକୁ ୨୬.୬୯ ସେକେଣ୍ଡରେ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସୁଚିତ୍ରା ଜାଭ୍‌‌ଲିନ୍‌ରେ ୧୩.୩୭ ମିଟର ଫିଙ୍ଗି ତୃତୀୟ ସ୍ଥାନରେ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପାଇଁ ରଶ୍ମିରଂଜନ ମଲ୍ଲିକ ସ୍ବର୍ଣ୍ଣ, ଦେବରାଜ ବେହେରା ରୌପ୍ୟ, ପଙ୍କଜ ଭୂଏ କାଂସ୍ୟ ଜିତିଥିଲେ। ଜୟନ୍ତୀ ପ୍ରତିଯୋଗିତାର ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍‌ ବିବେଚିତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ କେନ୍ଦ୍ର ଇସ୍ପାତ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଫଗନ ସିଂହ କୁଲାସ୍ତେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ।

ସମ୍ବନ୍ଧିତ ଖବର