ଜାତୀୟ ପାରା ଦୌଡ଼କୁଦ: ଜୟନ୍ତୀଙ୍କୁ ଦ୍ବିତୀୟ ସ୍ବର୍ଣ୍ଣ; ଦେବରାଜଙ୍କୁ ରୌପ୍ୟ

ଜାତୀୟ ପାରା ଦୌଡ଼କୁଦ

ଭୁବନେଶ୍ବର: କଳିଙ୍ଗ ଓ କିଟ୍‌ ଷ୍ଟାଡିୟମରେ ଚାଲିଥିବା ୨୦ତମ ଜାତୀୟ ପାରା ଦୌଡ଼କୁଦରେ ବୁଧବାର ଓଡ଼ିଶାକୁ ୨ ପଦକ ମିଳିଛି। ସେଥିରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ସାମିଲ ରହିଛି। ବିଶେଷକରି ଆଜି ପାରା ସ୍ପ୍ରିଣ୍ଟ୍‌ ରାଣୀ ଜୟନ୍ତୀ ବେହେରା ଟି-୪୭ ୪୦୦ ମିଟ‌ର ରେସ୍‌ (୧:୦୦.୪୨ ସେକେଣ୍ଡ)ରେ ସ୍ବର୍ଣ୍ଣ ଜିତିଛନ୍ତି। ଏହା ଚଳିତ ପ୍ରତିଯୋଗିତାରେ ଜୟନ୍ତୀଙ୍କ ଦ୍ବିତୀୟ ସ୍ବର୍ଣ୍ଣ। ଏହା ପୂର୍ବରୁ ସେ ଟି-୪୭ ୧୦୦ ମିଟ‌ରରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ। ଜୟନ୍ତୀଙ୍କ ବ୍ୟତୀତ ବୁଧବାର ରୌପ୍ୟ ପଦକ ଜିତିଥିଲେ ଦେବରାଜ ବେହେରା। ସେ ୪୦୦ ମିଟର ପୁରୁଷ ଟି-୧୧ ବର୍ଗରେ ୧:୦୩.୫୨ ସେକେଣ୍ଡ ସମୟରେ ରେସ୍‌ ଶେଷ କରି ଦ୍ବିତୀୟ ସ୍ଥାନ ପାଇଥିଲେ। ଦେବରାଜ ତାଙ୍କ ଗାଇଡ୍‌ ରନର୍‌ ସାଗର କୁମାର ସ୍ବାଇଁଙ୍କ ସହିତ ଏହି ସଫଳତା ହାତେଇଛନ୍ତି। ଏଥି ସହିତ ଏପର୍ଯ୍ୟନ୍ତ ଓଡ଼ିଶା ମୋଟ ୫ ପଦକ ହାସଲ କରିଛି। ସେଥିରେ ୩ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୧ କାଂସ୍ୟ ସାମିଲ ରହିଛି। ମଙ୍ଗଳବାର ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟର୍‌ ପଙ୍କଜ ଭୂଏ ପୁରୁଷ ୧୦୦ ମିଟର ଟି-୧୩ ବର୍ଗରେ କାଂସ୍ୟ ଜିତିଥିଲା ବେଳେ ଜୟନ୍ତୀ ବେହେରା ଏବଂ ୧୦୦ ମିଟର ଟି-୪୪ରେ ରଶ୍ମିରଂଜନ ମଲ୍ଲିକ (୧୨.୬୪ ସେକେଣ୍ଡ) ସ୍ବର୍ଣ୍ଣ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର