ଭୁବନେଶ୍ବର: ଚେନ୍ନାଇରେ ଆୟୋଜିତ ୨୩ତମ ଜାତୀୟ ପାରା ଦୌଡ଼କୁଦ ପ୍ରତିଯୋଗିତା ଗୁରୁବାର ଉଦ୍ଯାପିତ ହୋଇଛି। ଶେଷ ଦିନରେ ଓଡ଼ିଶାକୁ ୨ ସ୍ବର୍ଣ୍ଣ ପଦକ ମିଳିଛି। ଏହି ଦୁଇ ସ୍ବର୍ଣ୍ଣ ସହ ଓଡ଼ିଶା ୭ ପଦକ (୪ ସ୍ବର୍ଣ୍ଣ, ୨ ରୌପ୍ୟ, ୧ କାଂସ୍ୟ) ପାଇ ଅଭିଯାନ ଶେଷ କରିଛି। ଉଦ୍ଯାପନୀ ଦିବସରେ ଏହି ଦୁଇ ସ୍ବର୍ଣ୍ଣ ଓଡ଼ିଆ ଝିଅ ସୁଚିତ୍ରା ପରିଡ଼ା ଓ ଜୟନ୍ତୀ ବେହେରା ଜିତିଥିଲେ। ମହିଳା ଜାଭ୍ଲିନ୍ ଏଫ୍-୫୫ ବର୍ଗରେ ସୁଚିତ୍ରା (୧୮.୮୯ ମିଟର) ନିଜ ପୁରୁଣା ରେକର୍ଡ ଭାଙ୍ଗି ନୂଆ ଜାତୀୟ ରେକର୍ଡ ଅଧିକାରିଣୀ ହେବା ସହ ପ୍ରଥମ ସ୍ଥାନରେ ପୋଡିୟମ୍ ଫିନିସ୍ କରିଥିଲେ। ଉତ୍ତରାଖଣ୍ଡର ସାକ୍ଷୀ କାସାନା (୧୪.୪୮ ମିଟର) ରୌପ୍ୟ ଓ ହରିୟାଣାର ପୂଜା (୧୪.୦୫ ମିଟର) କାଂସ୍ୟ ଜିତିଥିଲେ।
ଗତ କାଲି ମହିଳା ଟି-୪୭ ୧୦୦ ଓ ୪୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତିଥିବା ଜୟନ୍ତୀ ଗୁରୁବାର ୨୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ଜିତି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ସେ ୨୦୦ ମିଟର ରେସ୍କୁ ୨୭.୨୪ ସେକେଣ୍ଡ୍ରେ ଶେଷ କରି ଏହି ପଦକ ଜିତିଥିଲେ। ଗୁଜରାଟର ଅଞ୍ଜନାବେନ ବୁମବାଦିୟା (୨୭.୨୪ ସେକେଣ୍ଡ୍) ଓ ଦିଲ୍ଲୀର କୀର୍ତ୍ତି ଚୌହାନ (୨୯.୪୪ ସେକେଣ୍ଡ) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପାଇଥିଲେ। ବୁଧବାର କମଳକାନ୍ତ ନାୟକ (ପୁରୁଷ ଏଫ୍-୫୩ ଜାଭ୍ଲିନ୍) ଓ ପଙ୍କଜ ଭୁଏ (ପୁରୁଷ ଟି-୧୩ ଲମ୍ବଡିଆଁ) ରୌପ୍ୟ ଜିତିଥିଲା ବେଳେ ଉଦ୍ଘାଟନୀ ଦିବସରେ ଜାନକୀ ଓରାମ (ମହିଳା ଟି-୧୨ ୧୦୦ ମିଟର ଦୌଡ଼) କାଂସ୍ୟ ପାଇଥିଲେ। ଓଡ଼ିଶା ଖେଳାଳିଙ୍କ ଏହି ଐତିହାସିକ ସଫଳତା ଲାଗି ଖେଳାଳିମାନଙ୍କୁ ଓଡ଼ିଶା ପାରା କ୍ରୀଡ଼ା ସଂଘ (ପିଏସ୍ଏଓ) ଓ କ୍ରୀଡ଼ା ଓ ଯୁବସେବା ବିଭାଗ ଅଭିନନ୍ଦନ ଜଣାଇଛି।