ଜାତୀୟ ଶକ୍ତି ଉତ୍ତୋଳନ: ଓଡ଼ିଶାକୁ ୧ ସ୍ବର୍ଣ୍ଣ ସହ ୬ ପଦକ

ଭୁବନେଶ୍ବର: କେରଳର ଅଲେପୁଜାଠାରେ ବୁଧବାର ରାତିରେ ଶେଷ‌ ହୋଇଥିବା ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମା‌େନ ୧ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ କାଂସ୍ୟ ସହ ମୋଟ ୬ ପଦକ ଜିତି ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ଦଳଗତ ଭାବେ ଓଡ଼ିଶା ପୁରୁଷ ଦଳ ବରିଷ୍ଠ ବର୍ଗରେ ଉପବିଜେତା ମଧ୍ୟ ହୋଇଛି। ମୟୂରଭଞ୍ଜର ଅଭିଷେକ ମହାନ୍ତ ମୋଟ ୫୮୨ କିଲୋ ଉତ୍ତୋଳନ କରି ଏକମାତ୍ର ସ୍ବର୍ଣ୍ଣ ପଦକ ଜିତିଥିଲେ। ଓଡ଼ିଶା ପୁଲିସ୍‌ରୁ ଅନୁପମା ସ୍ବାଇଁ (୩୨୨.୫ କିଲୋଗ୍ରାମ), ଅନୁଗୋଳର ରାକେଶ ଭୂପ୍ତା (୭୩୫ କିଲୋଗ୍ରାମ), ତେଜାବ କୁମାର ସୁନା (୫୦୦ କିଲୋଗ୍ରାମ) ରୌପ୍ୟ ପଦକ ହାସଲ କରିଥିଲେ। ମୟୂରଭଞ୍ଜର ଧନଲକ୍ଷ୍ମୀ ଟୁଟୁ (୨୫୨ କିଲୋଗ୍ରାମ) ଓ ମାଷ୍ଟର୍ସ-୧ରେ ସୁଜିତ କୁମାର ଗିରି (୩୩୫ କିଲୋଗ୍ରାମ) କାଂସ୍ୟ ପଦକ ଜିତିଥିଲେ। ୫ ଦିନ ଧରି ଚାଲିଥିବା ଏହି ପ୍ରତ‌ିଯୋଗିତାରେ ଓଡ଼ିଶାରୁ ଏକ ୪୨ ଜଣିଆ ଦଳ ଭାଗ ନେଇଥିଲେ। ଅନ୍ତର୍ଜାତୀୟ ଶକ୍ତିଉତ୍ତୋଳକ ପ୍ରଦୀପ କୁମାର ପାତ୍ରଙ୍କ ସହିତ ଗଙ୍ଗାଧର ବିଶୋଇ ଓ ରାକେଶ ଶତପଥୀ ଦଳ ସହ ପ୍ରଶିକ୍ଷକ ଓ ପ୍ରବଂଧକ ଭାବେ ଯୋଗ ଦେଇଥିଲେ।

ବ୍ୟକ୍ତିଗତ ଲିଫ୍ଟରେ ଧନମତି ଟୁଟୁ ସ୍ବର୍ଣ୍ଣ, ଅନୁପମା ସ୍ବାଇଁ ଗୋଟିଏ ସ୍ବର୍ଣ୍ଣ ଓ ରୌପ୍ୟ, ତେଜାବ କୁମାର ସୁନା ରୌପ୍ୟ ଓ କାଂସ୍ୟ, ସୁଜିତ କୁମାର ଗିରି ରୌପ୍ୟ ଓ କାଂସ୍ୟ, ଦୁଃଖିରାମ ମାରାଣ୍ଡି କାଂସ୍ୟ, ଅଭିଷେକ ମହାନ୍ତ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ, କାଂସ୍ୟ ଏବଂ ନାରାୟଣ ସେଠୀ ରୌପ୍ୟ, ବାଦଲ ବେହେରା ସ୍ବର୍ଣ୍ଣ ଓ ରୌପ୍ୟ, ରାକେଶ ଶତପଥୀ ରୌପ୍ୟ, ପ୍ରଦୀପ କୁମାର ପାତ୍ର କାଂସ୍ୟ, ରାକେଶ ଭୁପ୍ତା ରୌପ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର