ଭୁବନେଶ୍ୱର: ଓଡ଼ିଶା ମୋଟରସାଇକେଲ୍ ରେସିଂରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ରାଜ୍ୟର ପ୍ରଥମ ଏବଂ ଏକମାତ୍ର ପେସାଦାର ମୋଟରସାଇକେଲ୍ ରେସ୍ର ଉଦୀପ୍ତ କୁମାର ରଥଙ୍କ ନେତୃତ୍ୱରେ କୋଏମ୍ବାଟୁରର କାରି ମୋଟର ସ୍ପିଡେଓ୍ଵରେ ଆୟୋଜିତ ହୋଇଥିବା ଜାତୀୟ ମୋଟରସାଇକେଲ୍ ରେସିଂରେ ପ୍ରଥମ ଥର ପାଇଁ ଓଡ଼ିଶାର ଏକ ଦଳ ଅଂଶ ଗ୍ରହଣ କରିଛି। ଏହି ଦଳର ନାଁ ‘ନରସିମ ରେସିଂ’ ରଖା ଯାଇଛି। ଯାହାକୁ ଭାରତୀୟ ମୋଟର ସାଇକେଲ୍ କ୍ଲବ୍ ମହାସଂଘ ଲାଇସେନ୍ସ ପ୍ରଦାନ କରିଛି। ଉଦୀପ୍ତ ଏବଂ ପାଟନାର ପୀୟୂଷ ରଞ୍ଜନ ଏହି ଦଳର ମାଲିକ ଥିଲା ବେଳେ ଜାତୀୟ ପ୍ରତିଯୋଗିତାରେ ଏହି ଦଳ ଓଡ଼ିଶାର ପ୍ରତିନିଧିତ୍ୱ କରିବ।
ଚେନ୍ନାଇର କୌଶିକ ଶ୍ରୀରାମ ପ୍ରବନ୍ଧକ, ଚେନ୍ନାଇର ମ୍ୟାଡ୍ ମଙ୍କି ମୋଟୋମୋଟିଭ୍ସ ବୈଷୟିକ ସାଥୀ, ଚେନ୍ନାଇର ସିରିଅସ୍ ମୋଟରସ୍ପୋର୍ଟସ ଇଲେକଟ୍ରୋନିକ୍ ସହାୟକ, ଭୁବନେଶ୍ୱରର ଲିଙ୍କନ ମହାନ୍ତି ଏବଂ ଚେନ୍ନାଇର ଶ୍ରୀନିବାସ କୃଷ୍ଣନ୍ ଦଳୀୟ ଫଟୋଗ୍ରାଫର, ବାଙ୍ଗାଲୋରର ବୋଦାପତି ଡେଭିଡ୍ ଲୋକସଂପର୍କ ଅଧିକାରୀ ଏବଂ ଚଣ୍ଡିଗଡର ଶ୍ରୀନିଶ୍ ନୈୟର ଏହି ଦଳର ବ୍ୟାବସାୟିକ ଅଧିକାରୀ ଅଛନ୍ତି। ୫ ପର୍ଯ୍ୟାୟ ବିଶିଷ୍ଟ ଜାତୀୟ ପ୍ରତିଯୋଗିତାରେ ଅନ୍ୟ ରେସରଙ୍କ ଭୁଲ ପାଇଁ ଦଳର ଦୁଇ ରେସର ଉଦୀପ୍ତ ଏବଂ ପୀୟୁଷ ପୋଡିୟମ୍ ଫିନିସ୍ ପାଇବାରୁ ବଞ୍ଚିତ ହୋଇଛନ୍ତି। ତେବେ ଚେନ୍ନାଇର ମାଡ୍ରାସ୍ ମୋଟର ରେସ୍ ଟ୍ରାକରେ ଜୁଲାଇ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାର ଦ୍ୱିତୀୟ ପର୍ଯ୍ୟାୟରେ ନରସିମ ଦଳ ଭଲ କରିବ ବୋଲି ଉଦୀପ୍ତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଜାତୀୟ ପ୍ରତିଯୋଗିତାରେ ଭଲ କରି ଉଦୀପ୍ତ ଏବଂ ତାଙ୍କ ସାଥୀ ମାଲେସିଆରେ ସେପାଙ୍ଗ ସର୍କିଟରେ ଆୟୋଜିତ ହେବାକୁ ଥିବା ପିରେଲି ସୁପରବାଇକ୍ ପ୍ରତିଯୋଗିତାରେ ଭଲ କରିବାକୁ ଆଶା ରଖିଛନ୍ତି।